ନୂଆଦିଲ୍ଲୀ: ବଦଳୁଛି କଂଗ୍ରେସ ପାର୍ଟିର ଆଭିମୁଖ୍ୟ। ସଂଗଠନ କେମିତି ମଜବୁତ ହେବ ଏବଂ ସାଂଗଠନିକ ନିର୍ବାଚନ କେମିତି ହେବ ? କିଏ ହେବ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ? ସେ ନେଇ ନୂତନ ଜ୍ଞାନ କୌଶଳର ସାହାରା ନେଉଛି କଂଗ୍ରେସ। ପାର୍ଟି ସଦସ୍ୟତା ଅଭିଯାନର ପାରମ୍ପରିକ ପ୍ରକ୍ରିୟାକୁ ବଦଳାଇ ଏବେ ଆପ୍ ମାଧ୍ୟମରେ ସଦସ୍ୟ ସଂଗ୍ରହ କରିବ। ଆଗାମୀ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନିର୍ବାଚନ ହେବ। ଏହା ପୂର୍ବରୁ ନିର୍ବାଚନୀ କଲେଜିୟମ ଗଠନ କରାଯିବ। ଏଥିପାଇଁ କଂଗ୍ରେସ ପାର୍ଟି ଇ-ଭୋଟିଂର ସାହାରା ନେବା ଉପରେ ବିଚାର କରୁଛି। ଏହି କଲେଜିୟମରେ ଏଆଇସିସି ଏବଂ ପିସିସିର ସଦସ୍ୟ ସାମିଲ୍ ହେବେ।
୫୦ରୁ ଅଧିକ ସଦସ୍ୟ ଏଆଇସିସି ସଦସ୍ୟ ଏବଂ ପିସିସି ପ୍ରତିନିଧି ପାଇଁ ନିର୍ବାଚନ କରାଯିବ। ପ୍ରାୟ ଆଠ ହଜାରରୁ ନଅ ହଜାର ପାର୍ଟି ପଦାଧିକାରୀଙ୍କ ଦ୍ଵାରା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ତ୍ଵରାନ୍ଵିତ କରାଯିବ। ୟୁପିକୁ ବାଦ ଦେଇ ବାକି ସମସ୍ତ ଜାଗାରେ ସଦସ୍ୟତା ଅଭିଯାନ ଏପ୍ରିଲ ୧୫ରେ ସମାପ୍ତ ହେବ। ଏହି ସମୟରେ ଛଅ କୋଟିରୁ ଅଧିକ ପାର୍ଟି ସଦସ୍ୟ ଯୋଡି ହେବେ ବୋଲି କଂଗ୍ରେସ ଆଶା ରଖିଛି।
ଏହି ଅଭିଯାନର ନୀରିକ୍ଷଣ କରିବେ ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ଵାଧୀନ କେନ୍ଦ୍ରୀୟ ନିର୍ବାଚନ ପ୍ରାଧୀକରଣ। ପ୍ରବୀଣ ଚକ୍ରବର୍ତ୍ତୀଙ୍କ ନେତୃତ୍ଵାଧୀନ ଏଆଇସିସି ଡାଟା ଆନାଲିଟିକଲ ବିଭାଗ ସମନ୍ଵୟରେ ରାଜ୍ୟ ରିଟର୍ଣ୍ଣିଂ ଅପିସର ଏବଂ ପାର୍ଟି ନାମାଙ୍କନକର୍ତ୍ତାଙ୍କ ମାଧ୍ୟମରେ ଯୋଜନାକୁ ଅନ୍ତିମ ରୂପ ଦିଆଯାଉଛି।