fbpx

କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଚର୍ଚ୍ଚା ବଢ଼ାଇଲା ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ

ଓଡ଼ିଶା ଭାସ୍କର: କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ। କାରଣ ଆସନ୍ତାକାଲି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତେବେ ରାଜ୍ୟସଭାକୁ ଏଥର ୩ ଜଣ ପ୍ରାର୍ଥୀ ଯାଉଥିବା ବେଳେ ମାତ୍ର ୨ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି। ଗତକାଲି ରାତିରେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେଡି। କିନ୍ତୁ ତୃତୀୟ ପ୍ରାର୍ଥୀଙ୍କ ନାମକୁ ଏବେ ବି ସସ୍ପେନ୍ସ ରଖିଛି ବିଜେଡି। ଆଉ ଏହି ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଠିକ୍ ଏତିକିବେଳେ ଓଡ଼ିଶା ଆସୁଛନ୍ତି ଅଶ୍ୱିନୀ। ଏଣୁ ପୁଣିଥରେ ରାଜ୍ୟସଭା ପାଇଁ ଅଶ୍ୱିନୀ ରିପିଟ୍ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଥାଉକି, ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଫଳରେ ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ। ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ତିନିଟି ଯାକ ଆସନ ଦଖଲ କରିବା ଏକ ପ୍ରକାରର ନିଶ୍ଚିନ୍ତ ରହିଛି। କାରଣ ବର୍ତ୍ତମାନ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏହା ବାଦ୍ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି। ଏଣୁ ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ ବିଜେଡି ଏଥର କାହାକୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ସୁଯୋଗ ଦେବ ତାହା ଏକ ପ୍ରତୀକ୍ଷାର ବିଷୟ ପାଲଟିଛି।

Get real time updates directly on you device, subscribe now.