କିଏ ଜିତିବ, ମୁମ୍ବାଇ ନା ଆରସିବି ? ଜାଣନ୍ତୁ କ’ଣ କହୁଛି ଆକଳନ

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ୨୦ତମ ଲିଗ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି।

ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୪ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ୩ଟି ପରାଜିତ ହୋଇଛି। ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଅସ୍ଥିର ପ୍ରଦର୍ଶନ କରୁଛି। ଦଳରେ ଏକାଧିକ ତାରକା ରହିଥି​‌ଲେ ମଧ୍ୟ ପ୍ରଦର୍ଶନରେ ବିଫଳ ହେଉଛି। ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା , ରିୟାନ ରିକେଲଟନ, ତିଳକ ବର୍ମା, ରୋହିତ ଶର୍ମା, ନମନ ଧିରଙ୍କୁ ନେଇ ବେଶ ଶକ୍ତିଶାଳୀ ବ୍ୟାଟିଂ ଲାଇନ ରହିଛି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ଉକ୍ତ ଖେଳାଳିମାନେ ବିଫଳ ହୋଇଛନ୍ତି।

ରୋହିତ ଶର୍ମା ୩ଟି ମ୍ୟାଚରୁ ୨୦, ସୂର୍ଯ୍ୟକୁମାର ୧୭୧, ରିୟାନ ରିକେଲଟନ ୯୧, ୱିଲ ଜ୍ୟାକ୍‌ ୩୨, ତିଳକ ବର୍ମା ୯୫ ଓ ହାର୍ଦିକ ପାଣ୍ଡ୍ୟା ୩୯ ରନ କରିଛନ୍ତି। କହୁଣୀରେ ଆଘାତ ଲାଗି ଲକ୍ଷ୍ନୌ ସୁପରଜିଆଣ୍ଟ ବିପକ୍ଷରେ ରୋହିତ ଖେଳିନଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ ଖେଳିବାର ସମ୍ଭାବନା ରହିଛି।

ଏହି ମ୍ୟାଚ୍ କେଉଁ ଦଳ ଉପରେ ପ୍ରଭାବ ପକାଇବ ବୋଲି ଯଦି ଆକଳନ କରିବା, ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଉପରେ ପ୍ରଭାବ ପକାଇବ ପରି ମନେହୁଏ କାରଣ ସେମାନେ RCB ବିପକ୍ଷରେ ୩୩ ମ୍ୟାଚ୍‌ରୁ ୧୯ଟିରେ ବିଜୟୀ ହୋଇଛନ୍ତି। ଯଦି ଆମେ ୱାଙ୍ଖେଡେ ଷ୍ଟାଡିୟମରେ ଉଭୟ ଦଳର ପରସ୍ପର ବିପକ୍ଷରେ ରେକର୍ଡ ଦେଖିବା, ତେବେ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚ୍ ରୁ ୭ଟିରେ ବିଜୟୀ ହୋଇଛି। ତଥାପି, ଯଦି ଏହି ସିଜିନର ଫର୍ମକୁ ବିଚାରକୁ ନିଆଯାଏ, ତେବେ RCBର ହାତ ଅଧିକ ଥିବା ପରି ମନେ ହେଉଛି। ତଥାପି, କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ। ଏପରି ପରିସ୍ଥିତିରେ, ଏହି ଖେଳରେ କିଛି ପୂର୍ବାନୁମାନ କରିବା କଷ୍ଟକର।