ଓଡ଼ିଶା ଭାସ୍କର: ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଜିନିଷ କିମ୍ବା ଜୀବକୁ ଭୟ କରିଥାନ୍ତି । ଅଧିକାଂଶ ବ୍ୟକ୍ତି ସାପ, ବାଘ, ହାତୀ, ଭୂତ, ଝିଟିପିଟି, ପାଣି, ଉଚ୍ଚା ସ୍ଥାନ ଇତ୍ୟାଦିକୁ ଭୟ କରିଥାନ୍ତି । ହଠାତ ଏମିତି କିଛି ପରିସ୍ଥିତିର ସାମ୍ନା କଲେ ବ୍ୟକ୍ତି ଫ୍ରିଜ୍ ହୋଇଯାଏ । ଅର୍ଥାତ ଶରୀରରେ କିଛି ପରିବର୍ତ୍ତନ ଦେଖାଦେଇଥାଏ ଯେପରି ହୃଦଗତି ବଢ଼ିଯିବା, ପାଟିରୁ ଆୱାଜ୍ ନ ବାହାରିବା, ଝାଳ ବୋହିବା ଇତ୍ୟାଦି । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏପରି କାହିଁକି ହୋଇଥାଏ ? ଏହା ପଛରେ କ’ଣ କାରଣ ରହିଛି ?
ବିଜ୍ଞାନରେ ବ୍ୟକ୍ତି ହଠାତ ଫ୍ରିଜ୍ ହୋଇଯିବା ଏକ ମାନସିକ ପ୍ରକ୍ରିୟା ଅଟେ । ଏହା ଆମ ଶରୀରର ଚାପ ପ୍ରତିକ୍ରିୟା ସହ ଜଡ଼ିତ । ହଠାତ ଫ୍ରିଜ୍ ହେବା ପ୍ରତିକ୍ରିୟାକୁ ଅମେ ‘ଫାଇଟ୍ ଏବଂ ଫ୍ଲାଇଟ୍’ ପ୍ରତିକ୍ରିୟାର ଏକ ଅଂଶ ଭାବେ ଦେଖିଥାଉ । ବାସ୍ତବରେ ଆମେ ଯେତେବେଳେ କୌଣସି ବିପଦର ସାମ୍ନା କରିଥାଉ ସେତେବେଳେ ଆମ ମସ୍ତିଷ୍କର ହାଇପୋଥାଲାମସ୍ ଭାଗରେ ସିଗନାଲ ପଠାଯାଏ । ଏହା ଏଡ୍ରେନାଲାଇନ୍ ଏବଂ ନରେପିନେଫ୍ରିନ୍ ରିଲିଜ୍ କରିଥାଏ । ଏହି ହର୍ମୋନ ଶରୀରକୁ ବିପଦର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିଥାଏ । ଏହି କାରଣରୁ ଆମ ଶରୀର ହଠାତ ଫ୍ରିଜ୍ ହୋଇଯାଏ । ଫଳରେ ଶରୀରର ମାଂସପେଶୀ କଠୋର ହେବା ସହ ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ ଏବଂ ନିଃଶ୍ୱାସ ପ୍ରକ୍ରିୟା ଧିମେଇ ଯାଏ । ଏଭଳି ସ୍ଥିତିରେ ଶରୀର ସ୍ଥିର ରହିବା ଦ୍ୱାରା ମସ୍ତିଷ୍କକୁ ବିପଦର ଆକଳନ କରିବା ପାଇଁ ସମୟ ମିଳିଥାଏ ।
ଭୟରେ ଶରୀର ଫ୍ରିଜ୍ ହେବାକୁ ନେଇ କ’ଣ କହିଥାନ୍ତି ମନୋବୈଜ୍ଞାନିକ ?
ଶରୀର ଫ୍ରିଜ୍ ହେବା ପ୍ରକ୍ରିୟା କେବଳ ଶାରୀରିକ ନଥାଏ ବରଂ ମାନସିକ ମଧ୍ୟ । ବ୍ୟକ୍ତି ଜଣଙ୍କୁ ବହୁତ ଡର ଲାଗିଲେ ସେ ଫ୍ରିଜ୍ ହୋଇ କିଛି ସମୟ ପାଇଁ ସ୍ଥିତିକୁ ଆକଳନ କରିଥାଏ । ମସ୍ତିଷ୍କକୁ ଭାବିବା ପାଇଁ ସୁଯୋଗ ମିଳିଥାଏ କି ଭୟର ମୁକାବିଲା କରିବାର ଅଛି, ଦୌଡ଼ିବାର ଅଛି କିମ୍ବା ସ୍ଥିତିକୁ ଦେଖିବା ପାଇଁ ରହିବାର ଅଛି । ବାସ୍ତବରେ ଫ୍ରିଜ୍ ହେବା ଦ୍ୱାରା ବ୍ୟକ୍ତିର ମାନସିକ ସ୍ଥିତି ଆହୁରି ସଜାଗ ହୋଇଯାଏ ।