ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଅଚାନକ ନିଜ ନାମ ଫେରାଇ ନେଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ୍ । ମାନସିକ ଚାପରୁ ବିରତୀ ପାଇବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଷ୍ଟାର ବ୍ୟାଟର । ବର୍ତ୍ତମାନ ତାଙ୍କ ସ୍ଥାନରେ କେ.ଏସ ଭରତଙ୍କୁ ଦଳରେ ସୁଯୋଗ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ଇଶାନ କିଶାନ ବ୍ୟକ୍ତିଗତ କାଣ ଦର୍ଶାଇ ଏହି ସିରିଜରୁ ବ୍ରେକ ନେବାକୁ ଅପିଲ କରିଥିଲେ । କିନ୍ତୁ ଏବେ ଏହାର ଏକ ବଡ଼ କାରଣ ସାମନାକୁ ଆସିଛି । ଏ ନେଇ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି ।
ରିପୋର୍ଟ ଅନୁସାରେ, ଇଶାନ କିଶାନ ଟିମ ମ୍ୟାନେଜମେଣ୍ଟକୁ କହିଥିଲେ ଯେ, ମାନସିକ ଚାପ ଅତ୍ୟଧିକ ରହୁଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ତେବେ କେବଳ ଏହି ସିରିଜ ନୁହେଁ, କ୍ରିକେଟରୁ କିଛି ଦିନର ବ୍ରେକ ନେବାକୁ ବିସିସିଆଇକୁ ଅପିଲ କରିଛନ୍ତି ଇଶାନ୍ କିଶାନ୍ । ତାଙ୍କର ଏହି ନିଷ୍ପତ୍ତିକୁ ବୋର୍ଡର ସମସ୍ତ ସଦସ୍ୟ ମଧ୍ୟ ସହମତି ପ୍ରଦାନ କରିଥିଲେ ।
ମାନସିକ ଚିନ୍ତାଗ୍ରସ୍ତର ମୁଖ୍ୟ କାରଣ କ’ଣ?
ଲଗାତାର ବର୍ଷେ ହେଲା ଇଶାନ୍ କିଶାନ୍ ଟିମ ଇଣ୍ଡିଆ ସହ ସାମିଲ ହୋଇ ରହିଛନ୍ତି । ଭାରତର ପ୍ରତ୍ୟେକ ଗସ୍ତ ଏବଂ ପ୍ରତ୍ୟେକ ସିରିଜରେ ଇଶାନ୍ କିଶାନଙ୍କ ନାମ ସ୍କ୍ୱାଡରେ ହୋଇଛି । ଭାରତର ପ୍ରତ୍ୟେକ ସିରିଜ ସହିତ ବିଦେଶ ଗସ୍ତରେ ମଧ୍ୟ ଇଶାନ୍ ଟ୍ରାଭେଲ କରିଛନ୍ତି । ମ୍ୟାଚ ଅଭ୍ୟାସ ସେସନ୍ ରୁ ଆରମ୍ଭ କରି ମ୍ୟାଚ ଶେଷ ପର୍ଯ୍ୟନ୍ତ ସର୍ବଦା ପ୍ରସ୍ତୁତ ରହିଛନ୍ତି ଇଶାନ୍ । କିନ୍ତୁ ଦଳର ପ୍ଲେଇଙ୍ଗ-୧୧ରେ ଖୁବ କମ୍ ସୁଯୋଗ ମିଳିଛି, ବିଶେଷ କରି ଯେବେ ଟିମ ଇଣ୍ଡିଆର ୧-୨ ଖେଳାଳି ଅନୁପସ୍ଥିତ ରହିଲେ ଇଶାନ୍ କିଶାନଙ୍କୁ ଦଳରେ ସୁଯୋଗ ଦିଆଯାଏ । ତେଣୁ କଠିନ ପରିଶ୍ରମ ଏବଂ ପ୍ରସ୍ତୁତି ପରେ ବି ଦଳରେ ସୁଯୋଗ ନ ମିଳିବା ମଧ୍ୟ ଏକ ମାନସିକ ଚାପର କାରଣ ହୋଇପାରେ ।
ତେବେ ୨୬ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ଖେଳିବା ନେଇ ଖୁବ କମ୍ ସମ୍ଭାବନା ରହିଥିଲା । କେ.ଏଲ ରାହୁଲ ଦଳର ୱିକେଟକିପର ଭାବରେ ପ୍ରଥମ ପସନ୍ଦ ହୋଇଥିବା ବେଳେ ଇଶାନଙ୍କୁ ସୁଯୋଗ ମିଳିବା ସହଜ ନଥିଲା । ତେଣୁ ପ୍ରସ୍ତୁତି ପରେ ମଧ୍ୟ ବେଞ୍ଚରେ ବସି ଘରକୁ ଫେରିଥାନ୍ତେ ଇଶାନ୍ । ତେବେ ଏହି କାରଣ ପାଇଁ ଇଶାନ୍ କିଶାନ୍ ସିରିଜରୁ ଦୂରେଇ ଯିବା ସହ କ୍ରିକେଟରୁ ସାମାନ୍ୟ ବ୍ରେକ ନେବାକୁ ନିଷ୍ପତ୍ତି ନେଇଛନ୍ତି ।