fbpx

କାହିଁକି ଅବସର ନେଲେ ଭି.କେ. ପାଣ୍ଡିଆନ, କ’ଣ ହେବ ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା ?

ସକ୍ରିୟ ରାଜନୀତିକୁ ଓହ୍ଲାଇବେ କି ପାଣ୍ଡିଆନ ?

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ରାଜ୍ୟ ରାଜନୀତିରେ ଏକ ବଡ଼ ବିସ୍ଫୋରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଅକ୍ଟୋବର ୨୦ରେ କେନ୍ଦ୍ର ସରକାରଙ୍କ ନିକଟରେ ଭିଆରଏସ ଆବେଦନ ପଠାଇଦେଇଥିଲେ । ଏହି ଆବେଦନକୁ ସୋମବାର ଗ୍ରହଣ କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ସରକାରୀ ଚାକିରିରେ ରହି ବିଜୁ ଜନତା ଦଳ ପାଇଁ କାମ କରିବାକୁ ନେଇ ଅନେକ ଦିନ ହେଲା ବିରୋଧୀ ଦଳଙ୍କ ସମାଲୋଚନା ହୋଇ ଆସୁଥିଲେ ପାଣ୍ଡିଆନ୍ । ଏ କ୍ଷେତ୍ରରେ ଖୋଦ ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥନରେ ଆସିବା ସତ୍ତ୍ବେ ବି ବିରୋଧୀ ଦଳଙ୍କ ସମାଲୋଚନା କମିନଥିଲା । ଯଦି ରାଜନୀତି କରିବାର ଅଛି ତ, ସରକାରୀ ଚାକିରି ଛାଡ଼ି ସିଧାସଳଖ ରାଜନୀତି ମୈଦାନକୁ ଆସ ବୋଲି ତାଙ୍କୁ ଚ୍ୟାଲେଞ୍ଜ୍ କରିଥିଲେ ବିରୋଧୀ ଦଳ । ବୋଧହୁଏ ସେହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ପାଣ୍ଡିଆନ୍ ।

କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ପରେ ବିରୋଧୀଙ୍କ ଆକ୍ରମଣ ବନ୍ଦ ହେବ କି ? ଏହି ପ୍ରଶ୍ନର ଉତ୍ତର ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପରୁ ଜଣାପଡ଼ିବ । ତେବେ ଏହା ସତ ଯେ, ପାଣ୍ଡିଆନଙ୍କ ଏହି ପଦକ୍ଷେପ ଏକ ହଠାତ ନିଆଯାଇଥିବା ପଦକ୍ଷେପ ନୁହେଁ, ଏଥିପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିଲା ଓ ସେହି ଅନୁସାରେ କାମ କରିଚାଲିଥିଲେ ପାଣ୍ଡିଆନ । ଏହି ଯୋଜନା ଅନୁସାରେ ସେ ରାଜ୍ୟର ୩୦ଟି ଯାକ ଜିଲ୍ଲା ବୁଲିଥିଲେ ଓ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିଥିଲେ । କିନ୍ତୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପାଣ୍ଡିଆନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣହେବ ?

ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ ତାହା ତ ସମୟ କହିବ, କିନ୍ତୁ ତାଙ୍କ ଆଗରେ ଦୁଇଟି ସମ୍ଭାବନା ଥିବା ଆଲୋଚନା କରାଯାଉଛି । ପ୍ରଥମତଃ ସେ ସକ୍ରିୟ ରାଜନୀତିକୁ ଓହ୍ଲାଇ ବିଜେଡ଼ିର ମଙ୍ଗ ସମ୍ଭାଳିପାରନ୍ତି । ଆଗକୁ ନିର୍ବାଚନ ଥିବାବେଳେ ସରକାରୀ ଚାକିରିରେ ଥାଇ ସେ ଆଚରଣବିଧିକୁ ଉଲ୍ଲଙ୍ଘନ କରିପାରିନଥାନ୍ତେ । କିନ୍ତୁ ଚାକିରି ଛାଡିବା ପରେ ଏବେ ତାଙ୍କ ଉପରେ ସେହି କଟକଣା ରହିବ ନାହିଁ ଓ ସେ ମୁକ୍ତ ଭାବରେ ଦଳ ପାଇଁ କାମ କରିପାରିବେ । ଆଉ ଏକ ବିକଳ୍ପ ହେଉଛି ସେ ସରକାରରେ ବି ସାମିଲ ହୋଇପାରନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସରକାରରେ ଏକ ବଡ଼ ଓ କ୍ଷମତାଶାଳୀ ପଦବୀ ଦେଇ ପାରନ୍ତି, ଯେପରିକି ସେ ଉଭୟ ଦଳ ଓ ସରକାରକୁ ନିଜ ନିୟନ୍ତ୍ରଣରେ ରଖିପାରିବେ ।

Get real time updates directly on you device, subscribe now.