fbpx

କାହିଁକି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ? ରହିଛି ଏହିସବୁ କାରଣ, ଜାଣନ୍ତୁ ପୌରାଣିକ କଥା

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଅତୁଟ ସମ୍ପର୍କର ପବିତ୍ର ପର୍ବ । ପ୍ରତ୍ୟେକବର୍ଷ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ରାକ୍ଷୀ ପୂର୍ଣ୍ଣମୀ ପାଳନ ହୁଏ, ଯେଉଁଥିରେ ଗୋଟିଏ ଭଉଣୀ ତା’ ଭାଇଙ୍କୁ ରାକ୍ଷୀ ବାନ୍ଧିଥାଏ । ଭଉଣୀ ପାଇଁ ସମସ୍ତ ପରିସ୍ଥିତିରେ ରକ୍ଷା କବଚ ହୋଇ ଠିଆ ହେବାର ପ୍ରତିଶ୍ରୁତି ପାଇଁ ଏହି ପର୍ବ ପାଳନ ହୁଏ । ରକ୍ଷାବନ୍ଧନକୁ ନେଇ ସବୁଠାରୁ ପ୍ରଚଳିତ କଥା ମୋଗଳ ସମାଜ ସହ ଜଡ଼ିତ ହୋଇ ରହିଛି । ଚିତୌଡ଼ ରାଣୀ କର୍ଣ୍ଣାବତୀ ରାଜ୍ୟର ସୁରକ୍ଷା ପାଇଁ ସମ୍ରାଟ ହୁମାୟୁନଙ୍କୁ ରାକ୍ଷୀ ସହ ଏକ ପତ୍ର ପଠାଇ ସୁରକ୍ଷା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଏହି ରାକ୍ଷୀ ଏବଂ ଭାଇ-ଭଉଣୀର ସମ୍ପର୍କକୁ ନେଇ ଅନେକ ପୌରାଣିକ କଥା ମଧ୍ୟ ରହିଛି ।

ରାଜା ବଳିଙ୍କୁ ମା’ ଲକ୍ଷ୍ମୀ ମାଗିଥିଲେ ଏହି ଜିନିଷ: ସ୍କନ୍ଦ ପୁରାଣ, ପଦ୍ମ ପୁରାଣ ଏବଂ ଶ୍ରୀମଦ୍ ଭାଗବତ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ, ରାଜା ବଳି ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ । ରାଜା ବଳିଙ୍କ ଦାନବୀରତା ପାଇଁ ବଗବାନ ବିଷ୍ଣୁ ତାଙ୍କୁ ପାତାଳ ଲୋକର ରାଜା ଘୋଷଣା କରିଥିଲେ । କିନ୍ତୁ ବଳି ତାଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପାତାଳରେ ରହିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥିଲେ ଏବଂ ଜଣେ ଗରିବ ମହିଳା ରୂପରେ ଆସି ରାଜା ବଳିଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହାପରେ ରାକ୍ଷୀର ପାଉଣା ଭାବରେ କିଛି ମାଗିବା ପାଇଁ କହିଥେିଲ ରାଜା ବଳି । ଏହାପରେ ମାତା ଲକ୍ଷ୍ମୀ ନିଜ ପ୍ରକୃତ ରୂପକୁ ଆସି ଭଗବାନ ବିଷ୍ଣୁଙ୍କୁ ବଚନ ମୁକ୍ତ କରିବା ପାଇଁ କହିଥିଲେ । ତେବେ ରାକ୍ଷୀର ମାନ ରକ୍ଷା କରି ବଳି ରାଜା ଭଗବାନ ବିଷ୍ଣୁଙ୍କୁ ତାଙ୍କ ବଚନରୁ ମୁକ୍ତ କରିଥିଲେ ।

ଶ୍ରୀକୃଷ୍ଣଙ୍କୁ ଶାଢୀ ବାନ୍ଧିଥିଲେ ଦ୍ରୌପଦୀ: ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ, ପଞ୍ଚୁ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଶାଢୀ ଚିରି ତାଙ୍କୁ ରାକ୍ଷୀ ଭାବରେ ପିନ୍ଧାଇଥିଲେ । ଶ୍ରୀକୃଷ୍ଣ ଯେବେ ଶିଶୁପାଳର ବଦ୍ଧ କରିଥିଲେ, ସେହି ସମୟରେ ତାଙ୍କ ଆଙ୍ଗୁଠିରେ କ୍ଷତ ହୋଇ ସେଥିରୁ ରକ୍ତ ଝରିଥିଲା । ଏହି ସମୟରେ ପାଞ୍ଚାଳି ନିଜ ଶାଢୀରୁ ଖଣ୍ଡେ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ । ଏହାର ପ୍ରତି ବଦଳରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସମସ୍ତ ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଦେବରାଜ ଇନ୍ଦ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ ପତ୍ନୀ: ଭବିଷ୍ୟ ପୁରାଣ ଅନୁସାରେ, ଦେବତା ଏବଂ ଅସୁରଙ୍କ ମଧ୍ୟରେ ଯୁଦ୍ଧ ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା । ଧିରେ ଧିରେ ଅସୁର ଜାତି ଦେବତାଙ୍କ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଥିଲେ । ଏହି ସମୟରେ ରାଜା ଇନ୍ଦ୍ର ବିଚଳିତ ହୋଇ ଋଷି ବୃହସ୍ପତିଙ୍କ ନିକଟରେ ପହଞ୍ଚିଥିଲେ । ଏହାକୁ ନେଇ ଋଷି ବୃହସ୍ପତି କହିଥିଲେ ଯେ, ଇନ୍ଦ୍ରଙ୍କୁ ତାଙ୍କ ପତ୍ନୀ ଇନ୍ଦ୍ରାଣୀ(ଶଚୀ)ଙ୍କ ଦ୍ୱାରା ମନ୍ତ୍ରିତ ଶକ୍ତି ଦ୍ୱାରା ପବିତ୍ର ଏକ ରେଶମୀ ସୂତ୍ର ବାନ୍ଧିବାକୁ ହେବ । ଏହି ରକ୍ଷାସୂତ୍ର ପାଇଁ ଦେବରାଜ ଇନ୍ଦ୍ର ଏହି ଯୁଦ୍ଧରେ ବିଜୟଲାଭ କରିଥିଲେ ।

Get real time updates directly on you device, subscribe now.