ନୂଆଦିଲ୍ଲୀ: ସାଧାରଣତଃ ବର୍ଷାଦିନ ଆସିଲେ ବର୍ଷା ସହ ବିଜୁଳି ଏବଂ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ । ଆକାଶରେ ସୃଷ୍ଟି ହେଉଥିବା ଏହି ବିଜୁଳିର ପ୍ରଭାବରେ ଅନେକ ଧନ ଜୀବନ ନଷ୍ଟ ହୁଏ । ଆକାଶରେ ଯେତେବେଳେ ଅଧିକ ବାଦଲ ଥାଏ ସେହି ସମୟରେ ବିଜୁଳି ବା ବଜ୍ରପାତ ହୋଇଥାଏ । ଏହି ବଜ୍ରପାତ ଯେବେ ଭୂଇଁ ଉପରେ ପଡ଼େ ତାହା ସାଙ୍ଘାତିକ ପ୍ରମାଣିତ ହୋଇଥାଏ । ତେବେ ଏହା ଆକାଶରେ କିପରି ସୃଷ୍ଟିହୁଏ ଆସନ୍ତୁ ଜାଣିବା ।
୧୮୭୨ ମସିହାରେ ବୈଜ୍ଞାନିକ ବେଞ୍ଜାମିନ ଫ୍ରାଙ୍କଲିନ ବଜ୍ରପାତର ପ୍ରକୃତ କାରଣ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେତେବେଳେ ଆକାଶ ମେଘୁଆ ଥାଏ, ସେଥିରେ ଥିବା ଜଳର ଛୋଟ କଣିକା ବାୟୁ ସହ ଘଷିହେବା କାରଣରୁ ତାହା ଚାର୍ଜ ହୋଇଥାଏ । କିଛି ମେଘ ଉପରେ ଏହା ସକରାତ୍ମକ ଚାର୍ଜ ଆସିଥାଏ ତ କିଛି ମେଘ ଉପରେ ଏହା ନକରାତ୍ମକ ଚାର୍ଜ ସୃଷ୍ଟି ହୋଇଥାଏ । ଯେତେବେଳେ ଏହି ଦୁଇ ପ୍ରକାରର ଚାର୍ଜ ଏକା ସହିତ ମିଳିତ ହୁଏ ସେତେବେଳେ ଆକାଶରେ ଲକ୍ଷଲକ୍ଷ ଭୋଲ୍ଟର ବିଦ୍ୟୁତ ଉତ୍ପନ ହୋଇଥାଏ । ଯାହାକୁ ଆମେ ବିଜୁଳି ବୋଲି କହିଥାଉ । ସେହିପରି ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ । ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ ।
ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ । ଏସବୁ ନିମିଷେକ ଭିତରେ ଘଟିଯାଏ । ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା । କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି । ସତ କହିଲେ, ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ । ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର । ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଶବ୍ଦଠାରୁ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ ।
ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ୱନି ତରଙ୍ଗ ଧୀରେ ଧୀରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟର ବ୍ୟବଧାନ ପ୍ରାୟ ୩ ସେକେଣ୍ଡ । ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ସୃଷ୍ଟି ହୋଇଥାଏ ।