ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଜମାନାରେ ‘ଇମୋଜି’ ଏକ ବହୁଳ ଭାବେ ବ୍ୟବହୃତ ହେଉଥିବା ଶବ୍ଦ । ବିଶେଷ କରି ଯୁବପୀଢ଼ିମାନେ ଏହି ଇମୋଜିକୁ ଦୈନନ୍ଦିନ ଜୀବନରେ ବେଶି ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ହେଉ ଇମୋଜି ସମସ୍ତଙ୍କୁ ନିଶ୍ଚିତ ଭାବେ ଖୁସି ପ୍ରଦାନ କରିଥାଏ । ଏହାର ଗଠନ ଶୈଳୀ ଓ ରଙ୍ଗ ସତେ ଯେମିତି ଆମ ମନରେ ନୂଆ ଉନ୍ମାଦନା ସୃଷ୍ଟି କରିଥାଏ । ତେବେ ଇମୋଜିର ରଙ୍ଗ କ’ଣ ହଳଦିଆ ହେଲା, ବାଦାମୀ, ଲାଲ କି ବାଇଗଣୀ କାହିଁକି ନୁହେଁ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ଇମୋଜିର ରଙ୍ଗକୁ ନେଇ ଏକ ବଡ଼ ଇତିହାସ ରହିଛି । ୧୯୬୩ ମସିହାରେ ଇମୋଜିର ବ୍ୟବହାର ସର୍ବପ୍ରଥମେ କରାଯାଇଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଥରେ ଏକ ଲାଇଫ୍ ଇନ୍ସ୍ୟୁରାନସ କମ୍ପାନୀ ଏକ ବଡ଼ ବିପଦରେ ପଡ଼ିଯାଇଥିଲା । ସେହି ସମୟରେ ଉକ୍ତ କମ୍ପାନୀ ନିଜର କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ନିଯୁକ୍ତି ଦେଇ ଏକ ପ୍ରତୀକ ବା ସିମ୍ବଲ ତିଆରି କରିଥିଲେ । ଉକ୍ତ ସିମ୍ବଲଟି ହଳଦିଆ ରଙ୍ଗର ସ୍ମାଇଲ ଫେସ୍ ପରି ହୋଇଥିଲା । ତା’ର ପ୍ରଭାବ କର୍ମଚାରୀଙ୍କ ଉପରେ ବହୁ ମାତ୍ରାରେ ପଡ଼ିଥିଲା । ପରେ ଉକ୍ତ ସିମ୍ବଲ ଉପରେ ବହୁତ ଚର୍ଚ୍ଚା ହୋଇଥିଲା । ହଳିଦିଆ ରଙ୍ଗ ସାଧାରଣତଃ ଧଳା ଓ କଳା ରଙ୍ଗଠାରୁ ଅଲଗା ହେବା ସହ ତାହା ଖୁସିର ପ୍ରତୀକ ହୋଇଥାଏ । ଏଥିସହ ହଳଦିଆ ରଙ୍ଗ ଧ୍ୟାନ ଓ ସକାରାତ୍ମକ ଭାବନା ବୃଦ୍ଧି କରିଥାଏ ।
ଆଖିରେ ପ୍ରେମ ସୃଷ୍ଟି କରୁଥିବା ଇମୋଜି ଓ କାନ୍ଦୁଥିବା ଇମୋଜିକୁ ଲୋକମାନେ ସୋସିଆଲ ମିଡ଼ିଆରେ ବେଶି ମାତ୍ରାରେ ବ୍ୟବହାର କରିଥାନ୍ତି । ଜାପାନର ଡିଜାଇନ ଶିଗେତାକା କୁରିତା ମାତ୍ର ୨୫ ବର୍ଷ ବୟସରେ ଇମୋଜି ବିକଶିତ କରିଥିଲେ । ଇମୋଜିପିଡିଆର ପ୍ରତିଷ୍ଠାତା ଜେରେମୀ ବର୍ଗ ଇମୋଜିକୁ ସାରା ଦୁନିଆରେ ପହଞ୍ଚାଇବା ପାଇଁ ୧୭ ଜୁଲାଇକୁ ଇମୋଜି ଡେ ଭାବେ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ୨୦୧୪ରେ ଇମୋଜି ଡେ’ ପାଳନ କରାଯାଇଥିଲା । ତେବ ସାଉଦି ଅରବରେ ଲାଲ ରଙ୍ଗର ହୃଦୟ ଥିବା ଇମୋଜି ପଠାଇବା ଉପରେ ବ୍ୟାନ ଲଗାଯାଇଥିବା ବେଳେ ଏନେଇ ପୋଲିସରେ ଅଭିଯୋଗ ହେଲେ ଜଣଙ୍କୁ ୨୦ ଲକ୍ଷ ଜରିମାନା ସହ ୨-୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବି ହୋଇପାରେ ।