ଭାରତରେ ବିଦେଶୀ ଟପ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ବିରୋଧ କାହିଁକି: ଏହି ନିୟମ ଦ୍ୱାରା ଛାତ୍ରଛାତ୍ରୀଙ୍କର କ’ଣ ଲାଭ ହେବ ଆଉ କ’ଣ କ୍ଷତି
ନୂଆଦିଲ୍ଲୀ: ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛିନ୍ତି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୬୭ଟି ଦେଶର ରାଜଦୂତ ଓ ଶୀର୍ଷ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୟୁଜିସି ଫରେନ୍ ୟୁନିଭରସିଟି ବିଲକୁ ସଦନରେ ମଞ୍ଜୁରୀ ମିଳିବା ପରେ ଏବେ ବିଶ୍ୱର ଟପ୍ ୟୁନିଭରସିଟିଗୁଡ଼ିକ ଭାରତରେ ୧୦ ବର୍ଷ ପର୍ଯ୍ୟନ୍ତ କ୍ୟାମ୍ପସ ଖୋଲି ପାରିବେ ।
ତେବେ ଭାରତ ସରକାରଙ୍କ ଏହି ବଡ଼ ପଦକ୍ଷେପ ପରେ ଦେଶର ଛାତ୍ରଛାତ୍ରୀଙ୍କୁ ଅନେକ ଫାଇଦା ମିଳିବ । ଏହି ନିୟମ ଅନୁସାରେ ଏଣିକି ଆମେରିକା, ବ୍ରିଟେନ, ଚୀନ, ୟୁରୋପର ଟପ୍ ୟୁନିଭରସିଟିର କ୍ୟାମ୍ପସ ଭାରତରେ ଖୋଲିବ । ଫଳରେ ଆଗାମୀ ଦିନରେ ଭାରତକୁ କ୍ରେମ୍ବ୍ରିଜ, ହାଭାର୍ଡ, ୟେଲେ, ଅକ୍ସଫୋର୍ଡ, ଷ୍ଟାନଫୋର୍ଡ ପରି ବିଶ୍ୱର ଟପ୍ ବିଶ୍ୱବଦ୍ୟାଳୟ ଆସିବେ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଅଫଲାଇନରେ କୋର୍ସ ପ୍ରଦାନ କରିପାରିବେ । ଆସନ୍ତା ୨-୩ ବର୍ଷ ମଧ୍ୟରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତ ଆସିବାର ସମ୍ଭାବନା ରହିଛି ।
ବିଦେଶୀ ଟପ୍ ୟୁନିଭରସିଟର କ୍ୟାମ୍ପସ ଭାରତରେ ଖୋଲିବା ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ସୁଧୁରିଯିବ । ଛାତ୍ରଛାତ୍ରୀମାନେ ଆମେରିକା, ବ୍ରିଟେନ ତୁଳନାରେ ଭାରତରେ କମ୍ ପଇସାରେ କୋର୍ସ ସମାପ୍ତ କରିବାର ସମ୍ଭାବନା ରହିଛି । ଭାରତରେ ଅନେକ ମେଧାବୀ ଛାତ୍ରଛାତ୍ରୀ ରହିଥିଲେ ହେଁ ସେମାନେ ଅର୍ଥାଭାବରୁ ବିଦେଶ ଯାଇ ପାଠ ପଢ଼ି ପାରୁନଥିଲେ । ମାତ୍ର ଏହି ଟପ୍ ସଂସ୍ଥାମାନେ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବା ଫଳରେ ଛାତ୍ରଛାତ୍ରୀଙ୍କ ସମୟ ବଞ୍ଚିବ । ଏଥିସହିତ ସେମାନଙ୍କର ଟ୍ୟାଲେଣ୍ଟ ବିକଶିତ ହେବା ସହ ବହୁ ଅର୍ଥ ଅପଚୟରୁ ମୁକ୍ତି ମିଳିବ ।
ଭାରତରେ କ୍ୟାମ୍ପସ ଖୋଲିବା ଫଳରେ ଅନେକ ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ନିଯୁକ୍ତିର ଆବଶ୍ୟକତା ପଡ଼ିବ । ଏହା ଦେଶର ବେକାରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବ । ଭାରତକୁ ବିଦେଶରୁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିବେ । ଏହାଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥା ବିକଶିତ ହେବା ସହିତ ସରକାରଙ୍କୁ ରାଜସ୍ୱ ମିଳିବ । ଭାରତରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବା ସହିତ ରିସର୍ଚ୍ଚ କାର୍ଯ୍ୟ ଓ ଦେଶ-ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ବୃଦ୍ଧି ପାଇବ । ଏହାଦ୍ୱାରା ଶିକ୍ଷା ରାଙ୍କିଂରେ ଭାରତର ସ୍ଥାନ ବଢ଼ିବ । ବିଶ୍ୱର ଟପ୍ ୟୁନିଭରସିଟି ଭାରତରେ ରହିବା ଫଳରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ । ଭାରତର ଟପ ୟୁନିଭରସିଟିମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରିତ ହୋଇପାରିବେ ।
ୟୁଜିସିର ଏହି ପ୍ରସ୍ତାବକୁ ନେଇ ଏକ ଭାରତରେ ବିରୋଧାଭାସ ଦେଖିବାକୁ ମିଳିଲାଣି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଏହାକୁ ବିରୋଧ କରୁଛି । ଭାରତୀୟ ଲୋକତନ୍ତ୍ର ପାଇଁ ଏହା ବିପଦ ବୋଲି କୁହାଯାଇଛି । ବିଦେଶୀ ବିଶ୍ୱବିଦ୍ୟାଳୟର ଶିକ୍ଷା ଭାରତୀୟ ଶିକ୍ଷା ପ୍ରଣାଳୀକୁ ନଷ୍ଟ କରିଦେବ । ଏହାଦ୍ୱାରା କୋଚିଂ ସେଣ୍ଟରଗୁଡ଼ିକ ଲାଭବାନ ହେବେ ସାମାଜିକ ନ୍ୟାୟ ଓ ଚିନ୍ତାନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିବା କୁହାଯାଇଛି ।
ତେବେ ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିଲେ ସେମାନଙ୍କ ପାଇଁ ସର୍ତ୍ତ କ’ଣ ରହିବ, ଆଡମିସନ ଫିସ୍ କିପରି ନିର୍ଦ୍ଧାରିତ ହେବ, ଶିକ୍ଷକଙ୍କ ନିଯୁକ୍ତି କିଏ କରିବ, ବିଦେଶୀ ଶିକ୍ଷାନୁଷ୍ଠାନ କେଉଁସବୁ ନିୟମ ମାନିବେ, ଅଧାରୁ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଗଲେ ଛାତ୍ରଛାତ୍ରୀ କରିବେ କ’ଣ, ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ଏପରି ଅନେକ ପ୍ରଶ୍ନ-ଉତ୍ତରକୁ ନେଇ ଭଲଭାବେ ଅନୁଶୀଳନ କରାଯିବା ଆବଶ୍ୟକ ।