fbpx

କାହିଁକି ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ? ଖଟ୍ଟରଙ୍କ ବଦଳରେ ସୈନୀଙ୍କୁ କାହିଁକି ସୁଯୋଗ ମିଳିଲା, ଏହା ପଛରେ ଥାଇପାରେ ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟରଙ୍କ ଅଚାନକ ଇସ୍ତଫାକୁ ନେଇ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି । ନାୟବ ସିଂହ ସୈନ୍ୟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ମାସ କେଇଟା ବାକିଥିବା ବେଳେ ଏହା ପୂର୍ବରୁ ବିଜେପି କ’ଣ ପାଇଁ ଏପରି ନିଷ୍ପତ୍ତି ନେଲା, ମୋଦୀ-ଶାହଙ୍କର କ’ଣ ରହିଛି ରାଜନୈତିକ ରଣନୀତି, ଏପରି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଠିଛି । ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପଛରେ ଅନେକ କାରଣ ଥାଇପାରେ ।

୧- କେବଳ ହରିୟାଣା ନୁହେଁ ନିକଟରେ ୩ ରାଜ୍ୟ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲା । ନିର୍ବାଚନ ପୂର୍ବରୁ ରାଜ୍ୟର ମଙ୍ଗୁଆଳ ପରିବର୍ତ୍ତନ ଭାଜପାର ନିର୍ବାଚନୀ ରଣନୀତି ବୋଲି କୁହାଯାଉଛି ।

୨- ଚଳିତ ବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ହେବ । ତେଣୁ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏକ ବଡ଼ ଗେମ୍ ଖେଳିଥିବା କୁହାଯାଉଛି । ଆଗାମୀ ଲୋକସଭା ନିର୍ବାଚନରେ ଖଟ୍ଟର କରନାଲ ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳ ଏଥର ବିଭିନ୍ନ ରାଜ୍ୟର କିଛି ସାଂସଦଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଓହ୍ଲାଇବାକୁ ଯୋଜନା କରିଛି ।

୩- ହରିୟାଣାରେ ୧୦ଟି ଲୋକସଭା ଆସନ ରହିଥିବା ବେଳେ ଦଳ ସମସ୍ତ ଆସନରେ ଜିତି ‘ମିଶନ-୪୦୦’ ଟାର୍ଗେଟକୁ ସଫଳ କରିବାକୁ ଯୋଜନା ଚଳାଇଛି ।

୪- ନାୟବ ସିଂହ ସୈନ୍ୟ ଓବିସି ବର୍ଗରୁ ଆସିଥିବାରୁ ବିଜେପି ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରି ଏହି ସମ୍ପ୍ରଦାୟର ଭୋଟ ହାତେଇବାକୁ ଯୋଜନା କରିଛି । ରାଜ୍ୟରେ ଜାଟ ସଂପ୍ରଦାୟଙ୍କ ସଂଖ୍ୟା ୨୭ ପ୍ରତିଶତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ସମ୍ପ୍ରଦାୟରୁ ଆସୁଛନ୍ତି । ଏହା ଦଳକୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଫାଇଦା ଦେଇପାରେ ।

୫- ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ଦଳ କିଛି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ନୂଆ ସରକାର ଗଠନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ବି ବଦଳାଇଥିଲା । ରାଜ୍ୟରେ ଖଟ୍ଟର ବିରୋଧୀ ହାୱା ଚାଲିଥିବା ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ ଫିଡବ୍ୟାକ୍ ପହଞ୍ଚିଥିଲା । ତେଣୁ ଦଳ ଏପରି ନିଷ୍ପତ୍ତି ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.