fbpx

(Video) ଲତାଙ୍କର ପ୍ରକୃତ ନାମ କ’ଣ ଥିଲା, କାହିଁକି ସେ ‘ମଙ୍ଗେସକର’ ସରନେମ୍ ଲେଖୁଥିଲେ, ଜାଣନ୍ତୁ ୯୦ ବର୍ଷ ତଳର କାହାଣୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚିର ନିଦ୍ରାରେ ଶୋଇଯାଇଛନ୍ତି କୋକିଳକଣ୍ଠୀ । ତେବେ ଏହି ଭାରତରତ୍ନ ଗାୟିକାଙ୍କ ବିୟୋଗରେ ଆଜି ସାରା ଭାରତବର୍ଷ କାନ୍ଦୁଥିବା ବେଳେ ଲତାଙ୍କ ଜୀବନର ଅନେକ ଅକୁହା କଥା ଆଜି ବି ସମସ୍ତଙ୍କୁ ଅଜଣା ଅଛି । ଏପରି ବହୁତ କମ୍ ଲୋକ ଥିବେ ଯେଉଁମାନେ କି ‘ଲତା ମଙ୍ଗେସକର’ ନାମ ପଛର କାହାଣୀ ବିଷୟରେ ଜାଣିଥିବେ ।

ଲତାଙ୍କ ପ୍ରକୃତ ନାମ ହେଉଛି କୁମାରୀ ଲତା ଦୀନନାଥ ମଙ୍ଗେସକର । ତାଙ୍କର ପିତାଙ୍କ ନାମ ଥିଲା ପଣ୍ଡିତ ଦୀନନାଥ ମଙ୍ଗେସକର, ଯେ କି ମରାଠୀ ଥିଏଟରରେ ଅଭିନୟ କରିବା ସହ ଜଣେ ନାଟ୍ୟ ସଂଗୀତଜ୍ଞ ମଧ୍ୟ ଥିଲେ । ଦୀନନାଥଙ୍କ ମାଆ ୟେସୁବାଈ ଦେବଦାସୀ ଥିଲେ ଓ ସେ ଗୋଆର ମଙ୍ଗେଶୀ ଗ୍ରାମରେ ରହୁଥିଲେ । ୟେଦୁବାଈ ମନ୍ଦିରରେ ଭଜନ କୀର୍ତ୍ତନ କରି ଜୀବନ ଅତିବାହିତ କରୁଥିଲେ । ସେହି ସମୟରୁ ଦୀନନାଥଙ୍କୁ ‘ମଙ୍ଗେସକର’ ଟାଇଟଲ ମିଳିଥିଲା । ଲତାଙ୍କ ପିଲାଦିନର ନାମ ଥିଲା ହେମା । ଏକଦା ଦୀନନାଥ ‘ଭାବବନ୍ଧନ’ ନାମକ ଏକ ନାଟକରେ କାମ କରିଥିଲେ । ଉକ୍ତ ନାଟକର ଫିମେଲ ଚରିତ୍ରର ନାମ ଥିଲା ‘ଲତିକା’ । ଦୀନନାଥଙ୍କୁ ଏହି ନାମଟି ଏତେ ପସନ୍ଦ ଆସିଯାଇଥିଲା ଯେ ସେ ନିଜର କନ୍ୟାଙ୍କ ନାମ ‘ହେମା’କୁ ବଦଳାଇ ‘ଲତା’ ରଖିଥିଲେ । ତା’ ପରଠାରୁ ସେଇ ଛୋଟ ଝିଅ ହେମା ଆଜି ସାରା ଦୁନିଆରେ ‘ଲତା ମଙ୍ଗେସ୍କର’ ନାମରେ ବିଖ୍ୟାତ ।

ସଙ୍ଗୀତ ଦୁନିଆକୁ ଏପରି ଅନେକ ଗାୟକ, ଗାୟିକା ଆସିବେ ଓ ଯିବେ । ମାତ୍ର ଲତା ସବୁବେଳେ ଲତା । ଲାଗୁଛି ସତେ ଯେପରି ଲତାଟିଏ କେଇ ମୁହୂର୍ତ୍ତ ପାଇଁ ଶୋଇ ଯାଇଛି । ସଙ୍ଗୀତ ଦୁନିଆରେ ପାଦ ଦେଉଥିବା ନବପ୍ରତିଭାଙ୍କ ପାଇଁ ଲତା ଜଣେ ଦେବୀ ସଦୃଶ । ନିଜର ସଙ୍ଗୀତର ଯାଦୁରେ ଲତା ଏକାଧିକ ପୁରସ୍କାର ନିଜ ନାମରେ କରିଯାଇଛନ୍ତି । ଭାରତରତ୍ନ, ଦାଦାସାହେବ ଫାଲକେ ପରି ବହୁ ସମ୍ମାନର ଅଧିକାରିଣୀ ହୋଇଛନ୍ତି ସେ । ଯେତେଦିନ ପର୍ଯ୍ୟନ୍ତ ସଙ୍ଗୀତ ଜୀବିତ ଥିବ, ସେତେଦିନ ପର୍ଯ୍ୟନ୍ତ ଲତାଙ୍କ ସଂଗୀତ ଚୀର ଅମର ହୋଇ ରହିବ ।

Get real time updates directly on you device, subscribe now.