fbpx

ରାଜସ୍ଥାନରେ ବସୁନ୍ଧରା ନୁହଁନ୍ତି ଏହି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି, କ’ଣ ରହିଛି କାରଣ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର ବି ପରମ୍ପରା ବଦଳି ନାହିଁ । ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ଫଳାଫଳ ଅନୁଯାୟୀ ବିଜେପି ଏଠାରେ ବହୁତ ଆଗରେ ରହିଛି । ୧୧୧ ସିଟ୍‌ରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗରେ ରହିଛି । ୫ ବର୍ଷ କ୍ଷମତାରେ ଥିବା କଂଗ୍ରେସକୁ ଏବେ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ବିଜୟ ସହିତ ଏବେ ଏଠାରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ମଧ୍ୟରେ ବିଚାର ବିମର୍ଷ ଆରମ୍ଭ ହୋଇଗଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ରେସ୍‌ରେ ଆଗରେ ରହିଥିବା ବେଳେ ତାଙ୍କ ବ୍ୟତିତ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ସତୀଶ ପୁନିଆ ଓ ସିପି ଯୋଶୀଙ୍କ ପରି ନେତା ମଧ୍ୟ ରେସ୍‌ରେ ରହିଛନ୍ତି ।

କିନ୍ତୁ ରାଜସ୍ଥାନର ଜନତାଙ୍କ ମଧ୍ୟରେ ବାବା ବାଳକନାଥଙ୍କୁ ନେଇ ବେଶୀ ଚର୍ଚ୍ଚା ହେଉଛି । ବାବା ବାଳକନାଥ ତିଜାରା ଆସନରୁ ବଡ ବିଜୟ ହାସଲ କରିବାକୁ ଯାଉଛନ୍ତି । ସେ ଏବେ ଏଠାରେ ସାଂସଦ ବି ଅଛନ୍ତି । ଯାଦବ ସଂପ୍ରଦାୟରୁ ଆସିଥିବା ବାବା ବାଳକନାଥ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ନେଇ ଅଧିକ ଚର୍ଚ୍ଚା ହେଉଛି କାରଣ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ହିନ୍ଦୁତ୍ୱ ଓ ଓବିସି ଉଭୟ କାର୍ଡ ଖେଳିପାରିବ । ବିଜେପିର ମତ ଏହାଦ୍ୱାରା ସେ ରାଜ୍ୟରେ ଓବିସି ସମୁଦାୟକୁ ନିଜ ହାତମୁଠାକୁ ଆଣିପାରିବ ।

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପୂର୍ବରୁ ସଫଳତାର ସ୍ୱାଦ ଚାଖି ସାରିଛି । ତେଣୁ ରାଜସ୍ଥାନରେ ଯଦି ଏହି ଫର୍ମୂଲା ଲାଗୁ ହୋଇଯିବ ତେବେ ଦଳ ପାଇଁ ଆଉ କୌଣସି ସମସ୍ୟା ରହିବ ନାହିଁ । ଅଲୱରରେ ରହୁଥିବା ବାବା ବାଳକନାଥ ଯୋଗୀଙ୍କ ପ୍ରଭାବ ସାରା ରାଜ୍ୟରେ ବି ଭଲ ରହିଛି । ସେ ହରିୟାଣାର ରୋହତକରେ ଥିବା ନାଥ ସଂପ୍ରଦାୟର ମଠ ମହନ୍ତ ବି ଅଛନ୍ତି । ସେ ଯୋଗୀ ଆଦିତ୍ୟନାଥଙ୍କ ବହୁତ ନିକଟତର । ଯୋଗୀ ଆଦିତ୍ୟନାଥ ତାଙ୍କ ନାମାଙ୍କନରେ ଯୋଗ ଦେବା ସହ ତାଙ୍କ ଲାଗି ପ୍ରଚାର ବି କରିଥିଲେ । ଯୋଗୀ ବାଳକନାଥ ମୁଖ୍ୟମନ୍ତ୍ରୀ ହେବା ଦ୍ୱାରା ବିଜେପିକୁ ହରିୟାଣାରେ ବି ଭଲ ଲାଭ ମିଳିବ । କାରଣ ହରିୟାଣାର ସୀମାନ୍ତ ଅଞ୍ଚଳରେ ଅନେକ ଯାଦବ ସଂପ୍ରଦାୟ ରହୁଛନ୍ତି । ୨୦୧୯ରେ ବିଜେପି ତାଙ୍କୁ ଅଲୱର ଲୋକସଭା ଆସନରୁ ଟିକେଟ ଦେଇଥିଲା ଓ ସେ କଂଗ୍ରେସର ବଡ ନେତା ଭୱଁର ଜିତେନ୍ଦ୍ର ସିଂହଙ୍କୁ ପରାଜିତ କରିଥିଲେ ।

Get real time updates directly on you device, subscribe now.