fbpx

MCD ନିର୍ବାଚନ କାହିଁକି ଖୁବ୍ ଗୁରୁତ୍ୱପୂର୍ଣ୍ଣ: କାହିଁକି BJP-AAP ଜିତିବା ପାଇଁ ପୂରା ଦମ୍ ଲଗାଉଛନ୍ତି, କିଏ ଡରୁଛି କାହାକୁ

ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ୪ ତାରିଖରେ ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ମତଦାନ ହେବ । ତେବେ ରଣାଙ୍ଗନରେ କଂଗ୍ରେସ, ଏଆଇଏମଆଇଏମ, ବହୁଜନ ସମାଜ ପାର୍ଟି, ସଂଯୁକ୍ତ ଜନତା ଦଳ ଓ ଏମସିପି ରହିଥିଲେ ହେଁ ମୁଖ୍ୟ ଲଢ଼େଇ ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ହେବ ବୋଲି ଆଶା କରାଯାଉଛି ।

ଦିଲ୍ଲୀରେ ବିଜେପି-ଆପର ପୁରୁଣା ଅହି-ନକୁଳ ସମ୍ପର୍କ କଥା କାହାକୁ ବା ଅଜଣା । ତେବେ ଏହି ନିର୍ବାଚନରେ ଗଡ଼ ଦଖଲ କରିବା ନରେନ୍ଦ୍ର ମୋଦୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ସମ୍ମାନର ପ୍ରଶ୍ନ । ତେଣୁ ମୋଦୀ ତାଙ୍କର ସୈନିକଙ୍କୁ କାମରେ ଲଗାଇ ସାରିଥିବା ବେଳେ କେଜ୍ରି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହାନ୍ତି । ଏମସିଡିର ମୋଟ ୨୫୦ଟି ୱାର୍ଡରେ ୧୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ପ୍ରଚାରର ଅନ୍ତିମ ଦିବସରେ ବିଜେପି, ଆପ ଓ କଂଗ୍ରେସ ଯେଉଁ ଦମ୍ ଦେଖାଇଲେ, ତାହା ତ୍ରିକୋଣୀୟ ମୁକାବିଲାର ସଙ୍କେତ ପ୍ରଦାନ କରୁଛି ।

ଗତ ୧୫ ବର୍ଷ ଧରି ଏମସିଡିକୁ ବିଜେପି ନିଜ କବଜାରେ ରଖି ଆସିଛି । ତେଣୁ ଏହାକୁ କାଏମ୍ ରଖିବା ପାଇଁ ଭାଜପା ଦିନରାତି ଏକ କରିଦେଇଛି । ଅନ୍ୟପକ୍ଷରେ ଦିଲ୍ଲ ସିଂହାସନ ସହିତ ଏମସିଡି ଉପରେ ମଧ୍ୟ ନିଜର ଦବଦବା ଜାହିର କରିବା ପାଇଁ ଆପ୍ କଡ଼ା ସଂଘର୍ଷ କରୁଛି । ବିଜେପି ଓ ଆପ ସମସ୍ତ ୨୫୦ଟି ସିଟରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୪୭ଟି ସିଟରେ ପ୍ରାର୍ଥୀ ଦେଇଛି । ସେହିପରି ୩୮୨ ଜଣ ପ୍ରାର୍ଥୀ ସ୍ୱାଧୀନ ଭାବେ ଲଢ଼ୁଛନ୍ତି ।

ପୂର୍ବରୁ ବିଜେପି କେବେ ବି ଏମସିଡି ନିର୍ବାଚନରେ ଏତେ ଦମ୍ ଲଗାଇନଥିଲା । ଏପରିକି ବିଜେପି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଇ ଦେଇଛି । ଏଥିସହିତ, ଦିଲ୍ଲୀର ଗଳି ଗଳିରେ ସାଂସଦ, ପୂର୍ବତନ ମେୟର ଓ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ସଭା କରୁଥିବା ଦେଖାଯାଉଛି । ବିଜେପି ମୋଟ ୭୦ ଜଣ ବଡ଼ ନେତାଙ୍କୁ ଏଥିପାଇଁ ଦାୟିତ୍ୱ ଦେଇଛି । ଗତ ଆଠ ବର୍ଷ ଧରି ଦିଲ୍ଲୀ ଆପ କବଜାରେ ରହିଆସିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ଆଠ ବର୍ଷ ମଧ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ଜନତାଙ୍କ ନିକଟକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରି । ସେହିପରି ଦିଲ୍ଲୀରେ କୁଢ଼ କୁଢ଼ ଆବର୍ଜନା, ସଫାସୁତୁରା, ପ୍ରଦୂଷଣ, ବୁଲା ପଶୁ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଆପ ଉପରେ ଘେରିଛି । ନିର୍ବାଚନରେ ଜିତିଲେ ବିଦେଶୀ ଏକ୍ସପର୍ଟଙ୍କୁ ଆଣି ଏକବର୍ଷରେ ଦିଲ୍ଲୀର ସବୁ ସ୍ଥାନରୁ ଆବର୍ଜନ ସଫା କରିଦେବେ ବୋଲି କେଜ୍ରି ପ୍ରତିଶ୍ରୁତି ଦେଇଛନ୍ତି ।

ଦିଲ୍ଲୀ ନଗର ନିଗମ କେବଳ ଭାରତର ନୁହେଁ, ବିଶ୍ୱର ସବୁଠାରୁ ବଡ଼ ନଗର ନିଗମ ମଧ୍ୟରୁ ଅନ୍ୟତମ । ଏମସିଡିରେ କୋଟି କୋଟି ଜନତା ବାସ କରୁଛନ୍ତି । ଦେଶର ରାଜଧାନୀ ହେବା କାରଣରୁ ଏମସିଡି ନିର୍ବାଚନର ଗୁରୁତ୍ୱ ବଢ଼ିଯାଇଛି । ହଜାର ହଜାର କୋଟିର ବଜେଟ ଥିବା ଦିଲ୍ଲୀ ନଗର ନିଗମ ପାଖରେ ଅନେକ କ୍ଷମତା ରହିଥାଏ । ଏହି କ୍ଷମତାର ଉପଯୋଗ କରି ସ୍ଥାନୀୟ ସମସ୍ୟାର ସମାଧାନ ହୋଇପାରିବ । ଏକ ବୃହତ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳର ହିତସାଧନ କରାଯାଇ ପାରିବ ।

ଦିଲ୍ଲୀର ଟାଉନ ପ୍ଲାନିଂ, ସାର୍ବଜନିକ ସ୍ୱାସ୍ଥ୍ୟ ସୁବିଧା, ହସ୍ପିଟାଳ ଚଳାଇବା, ସଫାସୁତୁରା, ଜଳ ପରିଚାଳନା ଓ ବିକାଶ, କ୍ଷେତ୍ରୀୟ ଜନ୍ମ ଓ ମୃତ୍ୟୁ ରେକର୍ଡ ରଖିବା, ପ୍ରାଥମିକ ସ୍କୁଲ, ପରିଚାଳନା, ଇ-ରିକ୍ସା ଓ ଠେଲାକୁ ଲାଇସେନ୍ସ ଦେବା, ହାଉସ ଟ୍ୟାକ୍ସଠାରୁ ଆରମ୍ଭ କରି ଅନ୍ୟ ଟ୍ୟାକ୍ସ ଆଦାୟ କରିବା ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟ ଏମସିଡି ଉପରେ ନ୍ୟସ୍ତ ଥାଏ । ପ୍ରାଇମେରୀ ସ୍କୁଲରେ ପ୍ରଥମଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଏମସିଡି ନିଜ ସ୍କୁଲରେ କରାଉଥିବା ବେଳେ ଦିଲ୍ଲୀ ସରକାର ଜୁନିୟର, ଇଣ୍ଟରମିଡିଏଟ ଓ ଉଚ୍ଚ ଶିକ୍ଷା ପ୍ରଦାନ କରିଥାନ୍ତି ।

ଏକ ବିଶେଷ ସୂଚନା ମୁତାବକ, ଏକ ଇଣ୍ଟରନାଲ ସର୍ଭେ ପରେ ବିଜେପିର ରଣନୀତି ବଦଳି ଯାଇଥିଲା । ଏମସିଡି ନିର୍ବାଚନକୁ ବିଜେପି ଅତ୍ୟନ୍ତ ଗମ୍ଭୀରତାର ସହ ନେବାକୁ ବାଧ୍ୟ ହୋଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା । ବତ୍ତର୍ମାନ ସମୟରେ ବିଜେପିର ବଡ଼ ବଡ଼ ନେତା ଗୁଜରାଟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା କଥା । ମାତ୍ର ଦଳ ଦିଲ୍ଲୀର ନେତାଙ୍କୁ ଏମସିଡି ନିର୍ବାଚନ ପାଇଁ ବ୍ୟବହାର କରୁଛି ।

ଏମସିଡି ନିର୍ବାଚନ ଜିତିବା ବିଜେପି ପାଇଁ ଅତ୍ୟନ୍ତ ଜରୁରୀ । ଏହା ପଛରେ ଅନେକ କାରଣ ରହିଛି । ଗତ ତିନୋଟି ବିଧାନସଭାରେ ବିଜେପି ଆପ୍ ସାମନରେ ଧୂଳି ଚାଟିବାକୁ ବାଧ୍ୟ ହୋଇଛି । କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦୁଇଟି ବିଧାନସଭା ନିର୍ବାଚନରେ ବିଜେପି ହାରିଛି । ୨୦୧୫ରେ ବିଜେପି ମାତ୍ର ୩ଟି ସିଟି ଓ ୨୦୨୦ରେ ୮ଟି ସିଟ୍ ପାଇଥିଲା । ଏବେ ଆପ୍ ଦିଲ୍ଲୀ, ପଞ୍ଜାବ ପରେ ଗୁଜରାଟ ଯାଇ ସେଠାରେ ବିଜେପିକୁ କଡ଼ା ଟକ୍କର ଦେଉଛି । ଏଭଳି ସ୍ଥିତିରେ ଯଦି ଏମସିଡି ନିର୍ବାଚନରେ ବିଜେପି ହାରିଯାଏ, ତେବେ ୨୦୨୪ ଲୋକସଭା ନିର୍ବାଚନରେ ସାରା ଦେଶରେ କେଜ୍ରି ହାୱା ଖେଳିଯିବ । ବର୍ତ୍ତମାନ ଦେଶରେ ମୋଦୀଙ୍କ ପରେ କ୍ରେଜି ହେଉଛନ୍ତି ଦ୍ୱିତୀୟ ପାୱାରଫୁଲ ଲିଡର ଏକଥା ଭାଜପାକୁ ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଛି । ତେଣୁ ବିଜେପି କଳେବଳେ କୌଶଳେ ଏହା କରାଇ ନଦେବାକୁ ପ୍ରୟାସ କରୁଛି । ଏମସିଡି ନିର୍ବାଚନରେ କେଜ୍ରିଙ୍କଠାରୁ ହାରିବା କଳଙ୍କ ବିଜେପି ମୁଣ୍ଡାଇବାକୁ ଚାହୁଁ ନାହିଁ ।

Get real time updates directly on you device, subscribe now.