fbpx

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ପ୍ରସାଦଙ୍କୁ ବାଦ୍: ଅଡ଼ୁଆ କଲା କି ଡିଲ୍ ମନ୍ତବ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଗୋଷ୍ଠୀ କନ୍ଦଳରେ ମାତିଛି । ଗତ କିଛିଦିନ ତଳେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନେଇ ବିବାଦ ଉପୁଜିଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବାକୁ ନେଇ ପ୍ରସାଦକୁ ଦାୟୀ କରାଯାଉଥିଲା । ଏହାପରେ ନିରବତା ଭଙ୍ଗକରି ପ୍ରସାଦ ପ୍ରେସମିଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ରାଜ୍ୟ କଂଗ୍ରେସର ମଙ୍ଗୁଆଳଙ୍କ ଆଡ଼କୁ ବାଣ ମାରିଥିଲେ ।

ତେବେ ସେ ଯାହା ବି ହେଉ, ନିର୍ବାଚନ ପରେ ଦଳର କିଛି ଗୁମର ଖୋଲିବା ନେଇ ପ୍ରସାଦ ପରୋକ୍ଷରେ ଟିପ୍ପଣୀ ଦେଇଥିଲେ । ଇତିମଧ୍ୟରେ କିଛିଦିନ ବିତିଯିବା ପରେ ପୁଣି କୁହୁଳୁଥିବା ନିଆଁରେ ଘିଅ ଢଳା ହୋଇଛି । ଗତକାଲି ପିସିସି ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଉକ୍ତ ତାଲିକାରେ ପ୍ରସାଦଙ୍କ ପରି ଜଣେ ବରିଷ୍ଠ ନେତାଙ୍କ ନାମ ନଥିବା ବେଳେ କିଛି ନୂଆ ନେତାଙ୍କୁ ସ୍ଥାନ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରସାଦଙ୍କୁ କାହିଁକି ଏହି ତାଲିକାରେ ସାମିଲ କରାଗଲା ନାହିଁ । ଅଡ଼ୁଆ ବଢ଼ିବାର ଭୟ ଦଳର ସିନିୟର ନେତାଙ୍କୁ ଘାରିଲା କି? ତେବେ ପ୍ରସାଦଙ୍କୁ ଯେ ଦଳରେ ଏକପ୍ରକାର ଅଣଦେଖା କରାଯାଉଛି, ଏହା କିଛି ମାତ୍ରାରେ ପ୍ରମାଣିତ ହୋଇସାରିଛି ।

Get real time updates directly on you device, subscribe now.