fbpx

ଟେଷ୍ଟରୁ ଏବେ ବି ବାଦ ପଡି ନାହାନ୍ତି ରୋହିତ: କାହିଁକି ଏମିତି କହିଲେ କୋଚ ରାହୁଲ ଦ୍ରାବିଡ?

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ ହୋଇ ଦଳରୁ ବାଦ ପଡିଛନ୍ତି ଅଧିନାୟକ ରୋହିତ ଶର୍ମା । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ତେବେ ଏ ନେଇ ବିସିସିଆଇ ତରପରୁ ସୂଚନା ଦିଆଯିବା ପରେ ମଧ୍ୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଦେଇଛନ୍ତି ଏକ ବଡ ବୟାନ । ଯାହାକୁ ନେଇ ଏବେ ପୁଣି ଥରେ ଟେଷ୍ଟ ମ୍ୟାଚରେ ଟ୍ୱିଷ୍ଟ ଆସିଛି ।

ରୋହିତ ଶର୍ମା ଏବେ ବି ଦଳରୁ ବାଦ ପଡି ନାହାନ୍ତି । ଆମ ହାତରେ ଆହୁରି ୩୬ ଘଣ୍ଟା ରହିଛି ବୋଲି କହିଛନ୍ତି କୋଚ ରାହୁଲ ଦ୍ରାବିଡ । ତେବେ ମେଡିକାଲ ଟିମ ତାଙ୍କ ଫିଟନେସକୁ ଯଥାସମ୍ଭବ ସତର୍କ ଅଛନ୍ତି । ଟିମରେ ସ୍ଥାନ ପାଇବାକୁ ହେଲେ ତାଙ୍କୁ କୋଭିଡ ନେଗେଟିଭ ହେବା ନିତ୍ୟାନ୍ତ ଆବଶ୍ୟକ, କିନ୍ତୁ ମ୍ୟାଚକୁ ଏବେ ବି ୩୬ ଘଣ୍ଟା ବାକି ଅଛି । ତେଣୁ ଆଜି ରାତି ଏବଂ କାଲି ସକାଳେ ମଧ୍ୟ ରୋହିତଙ୍କର କରୋନା ଟେଷ୍ଟ କରାଯିବ । ତେବେ କିଛି ସମୟ ପୂର୍ବରୁ ରୋହିତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରକି ତାଙ୍କୁ ଦଳରୁ ବାଦ ଦିଆଯାଇଥିବା ଜଣାଯାଇଥିଲା ।

ସେପଟେ ରୋହିତଙ୍କ ବିକଳ୍ପ ଭାବରେ ବୁମରାହଙ୍କୁ ନେତୃତ୍ୱ ଦିଆଯିବା ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ଏହାର ନିଷ୍ପତ୍ତି ଅଫିସିଆଲ ଭାବରେ ଜଣାଇ ଦିଆଯିବ । ତେବେ ରୋହିତଙ୍କୁ ନେଇ ସଠିକ ତଥ୍ୟ ମିଳିବା ପରେ ଅଧିକାରୀ ସ୍ତରରେ ଏହାର ଘୋଷଣା କରି ଦିଆଯିବ । କିନ୍ତୁ ଏହି ଘୋଷଣା କରିବା ମୋର କାମ ନୁହେଁ ବୋଲି କହିଛନ୍ତି ଦ୍ରାବିଡ ।

ତେବେ ଏହି ମ୍ୟାଚ ପାଇଁ ଯଦି ରୋହିତ ଉପଲବ୍ଧ ନ ହୁଅନ୍ତି, ତେବେ ବୁମରାହ ହିଁ ଦଳର ନେତୃତ୍ୱ ନେବେ । ଏମିତି ହେଲେ ବୁମରାହ ୩୫ ବର୍ଷର ରେକର୍ଡ ଭାଙ୍ଗିବେ । କପିଲ ଦେବଙ୍କ ପରେ ଜଣେ ଦ୍ରୁତ ବୋଲର ଭାବେ ଟିମ ଇଣ୍ଡିଆର ନେତୃତ୍ୱ ନେବାରେ ସେ ପ୍ରଥମ ଖେଳାଳି ପାଲଟିଯିବେ । ୧୯୮୭ ପରେ କୌଣସି ଦ୍ରୁତ ବୋଲର ଦଳର ଅଦିନାୟକ ପଦରେ ରହି ନାହାନ୍ତି ।

Get real time updates directly on you device, subscribe now.