fbpx
BJD SKY
BJD SKY

ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ କାହିଁକି ହଟାଗଲା, ନିରବତା ଭାଙ୍ଗିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

BJD

ନୂଆଦିଲ୍ଲୀ ୦୯।୧୨: ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇବା ନେଇ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟରେ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ସେ କହିଛନ୍ତି, ବୋର୍ଡ ବିରାଟ କୋହଲିଙ୍କୁ ଟି-୨୦ ଦଳର ଅଧିନାୟକ ପଦ ନଛାଡିବାକୁ ଅନୁରୋଧ କରିଥିଲୁ। ଏହା ପରେ ଚୟନକର୍ତ୍ତା ହୃଦବୋଧ କରିଥିଲେ ଯେ, ସୀମିତ ଓଭର କ୍ରିକେଟ ଅଲଗା ଅଲଗା ଅଧିନାୟକ ରଖାଯିବା ଠିକ୍ ହେବ ନାହିଁ। ଏଥିପାଇଁ ବୋର୍ଡ ଏବଂ ଚୟନକର୍ତ୍ତା ଏପରି ନିଷ୍ପତ୍ତି ନେଇଛନ୍ତି। ବୁଧବାର ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ କରାଯିବାର ଘୋଷଣା ବିସିସିଆଇ କରିଛି।

ସୌରଭ ଗାଙ୍ଗୁଲି କହିଛନ୍ତି, ବିସିସିଆଇ ବିରାଟ କୋହଲିଙ୍କୁ ଟି-୨୦ ଦଳର ଅଧିନାୟକ ପଦ ନଛାଡିବାକୁ ଅନୁରୋଧ କରିଥିଲା। ମାତ୍ର ସେ ମାନିନଥିଲେ। ତେଣୁ ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍ରେ ଦୁଇ ଅଧିନାୟକ ରଖିବାକୁ ଉଚିତ୍ ମଣିନଥିଲେ। ଏଥିପାଇଁ ନିଷ୍ପତ୍ତି ନିଆଗଲା, ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଦଳର ଦାୟିତ୍ଵ ଦିଆଯିବ ଏବଂ ରୋହିତ ଶର୍ମା ସୀମିତ ଓଭର କ୍ରିକେଟ୍ର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ମୁଁ ଅଧ୍ୟକ୍ଷ ହୋଇଥିବା କାରଣରୁ ବ୍ୟକ୍ତିଗତ ଭାବେ ବିରାଟ କୋହଲିଙ୍କ ସହ ଆଲୋଚନା କରିଥିଲି।

ଗାଙ୍ଗୁଲି କୋହଲିଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ଭାବେ ଯୋଗଦାନ ପାଇଁ ଧନ୍ୟବାଦ ଦେଇଛନ୍ତି। ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ କରାଯିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଗାଙ୍ଗୁଲି। ସେ କହିଛନ୍ତି, ତାଙ୍କୁ ରୋହିତ ଶର୍ମାଙ୍କ ନେତୃତ୍ଵ ଉପରେ ପୂର୍ଣ୍ଣ ଭରସା ରହିଛି। ବିରାଟ ଟେଷ୍ଟ ଦଳର ଅଧିନାୟକ ପଦ ଜାରି ରଖିବେ। ବିସିସିଆଇକୁ ପୂରା ଭରସା ରହିଛି ଯେ, ଭାରତୀୟ କ୍ରିକେଟ ସଠିକ୍ ଖେଳାଳିଙ୍କ ହାତରେ ରହିଛି।

Get real time updates directly on you device, subscribe now.