ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବେ କିଙ୍ଗ କୋହଲି? BCCI ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନୁହଁନ୍ତି ବିରାଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ସମଗ୍ର ଟୁର୍ଣ୍ଣାମେଣ୍ଟରେ ୭୦୦ରୁ ଅଧିକ ରନ୍ କରି ଗୋଲ୍ଡେନ୍ ବ୍ୟାଟ ନିଜ ନାମରେ କରିଛନ୍ତି ବିରାଟ । କିନ୍ତୁ ବିଶ୍ୱକପ ଫାଇନାଲରେ ଭାରତ ପରାସ୍ତ ହୋଇ ଟ୍ରଫି ହାତଛଡ଼ା କରିଛି । ଏହାପରେ ଆଗାମୀ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । ଏଥିପାଇଁ ବର୍ତ୍ତମାନ ଦଳ ପ୍ରସ୍ତୁତ ହେଉଥିବା ବେଳେ କୋହଲି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ରାହୁଲ ଦ୍ରାବିଡ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ଏକ ଲମ୍ବା ବୈଠକ ହୋଇଛି । ଏଥିରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରି ସାରିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିରାଟ କୋହଲିଙ୍କୁ ସ୍ଥାନ ମିଳି ନ ପାରେ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ ଏବଂ ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ସ୍ଥାନ ମିଳିବାର ସମ୍ଭାବନା ଥିବା ବେଳେ କୋହଲିଙ୍କୁ ବାଦ୍ ଦେଇପାରେ ବିସିସିଆଇ । କାରଣ ବୋର୍ଡର ଚୟନକର୍ତ୍ତାଙ୍କ ନଜରରେ କୋହଲି ପ୍ରଥମ ପସନ୍ଦ ଭାବରେ ନାହାନ୍ତି । ଏ ନେଇ ବିସିସିଆଇ ସଚିବ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ କୋଷାଧ୍ୟକ୍ଷ ଆଶିଷ ସେଲାର ରୋହିତ ଶର୍ମାଙ୍କୁ ସୂଚନା ଦେଇଛନ୍ତି ।

କିଏ ନେବେ କୋହଲିଙ୍କ ସ୍ଥାନ?

ସୀମିତ ଓଭରରେ କୋହଲି ଦଳରେ ୩ ନମ୍ବରରେ ଖେଳୁଛନ୍ତି । ତେବେ ବର୍ତ୍ତମାନ କୁହାଯାଉଛି ଯେ, ଟି-୨୦ ବିଶ୍ୱକପରେ ଏହି ସ୍ଥାନ ପାଇଁ ବୋର୍ଡ ପ୍ରଥମ ପସନ୍ଦ କୋହଲି ନୁହଁନ୍ତି । ଏହି ସ୍ଥାନରେ ପ୍ରଥମରୁ ଆକ୍ରମକ ବ୍ୟାଟିଂ କରି ପାରୁଥିବା ଖେଳାଳିଙ୍କୁ ସ୍ଥାନ ଦେଇପାରେ । ତେବେ ଏଥିପାଇଁ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଉପରେ ରହିଛି ଚୟନକର୍ତ୍ତାଙ୍କ ନଜର । ଅଷ୍ଟ୍ରେଲିଆ ବିପକ୍ଷଟି-୨୦ ସିରିଜରେ ୩ ନମ୍ବରରେ ବ୍ୟାଟିଂ କରି ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ଇଶାନ କିଶାନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ତେବେ ଆଇପିଏଲ-୨୦୨୪ରେ କୋହଲିଙ୍କ ପ୍ରର୍ଦାନ ଭଲ ରହିଲେ ତାଙ୍କୁ ନେଇ ବିଚାର କରାଯିବ ବୋଲି କହିଛନ୍ତି ଚୟନକର୍ତ୍ତା । ସେପଟେ ଖୁବଶୀଘ୍ର କୋହଲିଙ୍କ ସହ ତାଙ୍କ ଟି-୨୦ କ୍ୟାରିୟର ଏବଂ ପ୍ଲାନକୁ ନେଇ ଆଲୋଚନା କରିପାରନ୍ତି ବୋର୍ଡ ବରିଷ୍ଠ ଅଧିକାରୀ ।