ଦେଶର ବିଭିନ୍ନ ରାଜ୍ୟରେ ବଢ଼ିଲାଣି କୋଭିଡ୍ ସଂକ୍ରମଣ, ଓଡ଼ିଶାକୁ ପୁଣି ଥରେ ଫେରିବ କି ମାସ୍କ ବାଧ୍ୟତାମୂଳକ ନିୟମ, ଜାଣନ୍ତୁ କ’ଣ କହୁଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦେଶର କିଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ଆରମ୍ଭ କଲାଣି । ତାମିଲନାଡ଼ୁ, ତେଲଙ୍ଗନା, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ପରି କିଛି ରାଜ୍ୟରେ ପରିସ୍ଥିତି ବିଗିଡ଼ିବା ଆରମ୍ଭ କଲାଣି । ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖି କରୋନା ଓ ଇନଫ୍ଲୁଏଞ୍ଜା ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି ।

ତେବେ ମହାରାଷ୍ଟ୍ରରେ କୋଭିଡ୍-୧୯ ସଂକ୍ରମଣ ସ୍ଥିତିକୁ ଦେଖି ସରକାର ନୂଆ ପଦକ୍ଷେପ ନେଇଛନ୍ତି । ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଅନ୍ୟ ରାଜ୍ୟରେ ଏହି ନିୟମ ଲାଗୁ ହେବା ପରେ ଏବେ ଓଡ଼ିଶାର ସ୍ଥିତି ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନାର ସ୍ଥିତି ଉଦବେଗଜନକ ନାହିଁ । ଭିଡ଼କୁ ଯିବା ସମୟରେ ମାସ୍କ ପିନ୍ଧିବା ସହ କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଇ ନିଅନ୍ତୁ । ରାଜ୍ୟର ସ୍ଥିତି ଏବେ ଭଲ ରହିଥିବା ବେଳେ ସର୍ଭିଲାନ୍ସ ଓ ଟେଷ୍ଟିଂ ଜାରି ରହିଛି । ରାଜ୍ୟରେ କୋଭିଡ୍ ନିୟମ ପାଳନ କରାଯିବା ସହ ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଯଦି ଆବଶ୍ୟକ ପଡ଼େ ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।