fbpx

ସତରେ କ’ଣ ୨୦୨୪ରେ ଦେବାଳିଆ ହୋଇଯିବ OpenAI? କାହିଁକି ChatGPT ସଙ୍କଟର ସାମ୍ନା କରୁଛି

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ଯୁଗ ଆରମ୍ଭ ହୋଇଯାଇଛି । ସାଧାରଣ ଜୀବନ ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଏଆଇ ସହଜସାଧ୍ୟ କରିପାରିବ ବୋଲି କୁହାଯାଉଛି । ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ଏଆଇକୁ ବିଶ୍ୱରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଓପନଏଆଇ କମ୍ପାନୀ । ଓପନଏଆଇର ଏକ ଟୁଲ ହେଉଛି ଚାଟଜିପିଟି ।

ତେବେ ସାରା ଦୁନିଆରେ ଏଆଇ କ୍ରାନ୍ତି ଆଣିଥିବା ଓପନଏଆଇ କମ୍ପାନୀ ଏବେ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଏକ ରିପୋର୍ଟରେ କୁହାଯାଇଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ଓପନଏଆଇ ଦେବାଳିଆ ହୋଇପାରେ । ଯଦି ଏପରି କିଛି ଘଟେ, ତେବେ ଚାଟଜିପିଟ ତିଷ୍ଠି ରହିବା ମୁସ୍କିଲ ହୋଇ ପଡ଼ିବ । ଅନେକ ନିବେଶକ ଏହି କମ୍ପାନୀରେ ମୋଟା ଅଙ୍କର ଅର୍ଥ ନିବେଶ କରୁଥିବା ବେଳେ ପ୍ରଫିଟ ନ ଆସିଲେ ସେମାନେ ଏଥିରୁ ଓହରି ଯାଇ ପାରନ୍ତି ବୋଲି କୁହାଯାଇଛି ।

ତେବେ ଓପନଏଆଇର ଏହି ସଙ୍କଟ ପଛରେ ଅନେକ କାରଣ ରହିଛି ।

୧- କମ୍ପାନୀ ଦୈନକ ପାଖାପାଖି ୬ କୋଟି ଟଙ୍କା ଖର୍ଚ୍ଚ କରୁଛି । ନିବେଶକଙ୍କୁ ଯଦି ଏହି କମ୍ପାନୀରୁ ଶୀଘ୍ର ତଥା ଆଶାନୁରୂପକ ପ୍ରଫିଟ ନମିଳେ ତେବେ କମ୍ପାନୀ ଆସନ୍ତା ବର୍ଷ ଶେଷ ସୁଦ୍ଧା ସଙ୍କଟ ମଧ୍ୟକୁ ଠେଲି ହୋଇପାରେ ।

୨- ମାଇକ୍ରୋସଫ୍ଟ ଓପନଏଆଇରେ ୧୦ ଅରବ ଡଲାର ନିବେଶ କରିଥିବା ବେଳେ ୨୦୨୩ରେ କମ୍ପାନୀ ୨୦ କୋଟି ଡଲାର ରେଭିନ୍ୟୁ ହାସଲ କରିବ ବୋଲି ଅନୁମାନ କରାଯାଉଛି । ମାତ୍ର ୨୦୨୪ରେ କମ୍ପାନୀର ରାଜସ୍ୱ ୧ ଅରବ ଡଲାରରେ ପହଞ୍ଚିବାର ଆଶା କରାଯାଉଛି । ଏଥିସହିତ କ୍ରମାଗତ ଭାବେ କମ୍ପାନୀର କ୍ଷତି ବଢ଼ିବାରେ ଲାଗିଛି ।

୩- ଚଳିତ ବର୍ଷ ମେ ମାସରେ କମ୍ପାନୀର କ୍ଷତି ଦୁଇଗୁଣ ହୋଇ ୫୪ କୋଟି ଡଲାରେ ପହଞ୍ଚି ଯାଇଥିଲା ।

୪- ମେ ମାସରେ ୧.୯ ଅରବ ସଂଖ୍ୟକ ୟୁର୍ଜସ ଚାଟଜିପିଟିକୁ ଭିଜିଟ କରିଥିବା ବେଳେ ଜୁନରେ ତାହା ୧.୭ ଅରବ ଓ ଜୁଲାଇରେ ୧.୫ ଅରବକୁ ଖସି ଆସିଥିଲା । ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ (ଜିପିୟୁ)ର ଅଭାବ କାରଣରୁ ନୂଆ ମଡେଲ ବିକଶିତ କରିବା ଓ ତାକୁ ସୁଧାରିବାରେ ସମସ୍ୟା ଦେଖାଯାଉଛି ।

୫- ଓପନଏଆଇ ଉପରେ ମାଇକ୍ରୋସଫ୍ଟ ପରି ଏକ ବଡ଼ କମ୍ପାନୀର ସପୋର୍ଟ ରହିଥିଲେ ହେଁ ମାଇକ୍ରୋସଫ୍ଟ ନିଜର କାରବାରକୁ ମଧ୍ୟ ସମ୍ଭାଳିବ । ତେଣୁ ଏହା କେତେଦିନ ପର୍ଯ୍ୟନ୍ତ ଜାରି ରହିବ, ତାହା ଏକ ବଡ଼ ପ୍ରଶ୍ନ ।

Get real time updates directly on you device, subscribe now.