fbpx

IND vs NZ ମହାମୁକାବିଲାକୁ ଧୋଇନେବ ବର୍ଷା! ଧର୍ମଶାଳାରେ କେମିତି ରହିବ ପାଣିପାଗ?

ନୂଅଦିଲ୍ଲୀ: ବିଶ୍ୱକପରେ ଆସନ୍ତାକାଲି ହେବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଟୁର୍ଣ୍ଣାମେଣ୍ଟର ଦୁଇ ଟେବୁଲ ଟପ୍ପର ଭାରତ ଏବଂ ନ୍ୟୁଜିଲାଣ୍ଡ କାଲି ଧର୍ମଶାଳା ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଲଢିବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ତେବେ ଏହି ମ୍ୟାଚ ପାଇଁ ବର୍ଷା ଏକ ବଡ଼ ବାଧକ ସାଜିଛି । ବର୍ଷା ଯୋଗୁଁ ଏହି କଡ଼ା ମୁକାବିଲା ରଦ୍ଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଅପରାଜେୟ ରହିଥିବା ବେଳେ ଆସନ୍ତାକାଲି ଉଭୟଙ୍କ ପାଇଁ ପରୀକ୍ଷା ହେବ ।

ରିପୋର୍ଟ ଅନୁସାରେ, ରବିବାର ଧର୍ମଶାଳାରେ ୪୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି । ଏହାସହିତ ତାପମାତ୍ରା ମଧ୍ୟ କମ୍ ରହିବ । ତେବେ ମାତ୍ରାଧିକ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି । ବର୍ଷା ଯୋଗୁଁ ଟସ୍ ରେ ମଧ୍ୟ ବିଳମ୍ବ ହୋଇପାରେ । ତେବେ ସନ୍ଧ୍ୟାରେ ବର୍ଷା ହେବାର କୌଣସି ଆଶଙ୍କା ନଥିଲେ ମଧ୍ୟ ତାପମାତ୍ରା ୧୨-୧୩ ଡିଗ୍ରୀକୁ ହ୍ରାସ ପାଇପାରେ । ତେଣୁ ଥଣ୍ଡା ଏବଂ କୋହଲା ପାଗରେ ମ୍ୟାଚ କେଳାଯିବାକୁ ଥିବା ବେଳେ ଏହା ଦ୍ରୁତ ବୋଲରଙ୍କ ପାଇଁ ସହାୟକ ହେବ । ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଥିପାଇଁ କୌଣସି ରିଜର୍ଭ ଡେ’ ରଖାଯାଇ ନାହିଁ । ତେଣୁ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେଲେ ଉଭୟ ଦଳକୁ ୧-୧ ପଏଣ୍ଟ ପ୍ରଦାନ କରାଯିବ ।

ଗତ ନେଦରଲାଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ବର୍ଷାର ପ୍ରଭାବ ଦେଖା ଦେଇଥିଲା । ଯାହା ଫଳରେ ୫୦ ଓଭର ପରିବର୍ତ୍ତେ ୪୩ ଓଭରର ଖେଳ ସମ୍ଭବ ହୋଇଥିଲା । ଏହି ମ୍ୟାଚରେ ଏକ ବଡ଼ ଇତିହାସ ରଚିଛି ନେଦରଲାଣ୍ଡ । ଦକ୍ଷିଣ ଆଫ୍ରିକାକୁ ୩୭ ରନରେ ମାତ୍ ଦେଇ ନେଦରଲାଣ୍ଡ ଏକ ବଡ଼ କାରନାମା କରିଛି ।

Get real time updates directly on you device, subscribe now.