ଏହା କ’ଣ ସତ ହେବ? ଆଲୋକ ପ୍ରଦୂଷଣ କାରଣରୁ ଆଗାମୀ ୨୦ ବର୍ଷ ମଧ୍ୟରେ ଆକାଶରୁ ତାରା ଅଦୃଶ୍ୟ ହୋଇଯିବେ ବୋଲି ଚେତାବନୀ ଦେଇଥିଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ମଣିଷ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ବେଳେ ଏହାର ଭୟଙ୍କର କୁପ୍ରଭାବ ମଧ୍ୟ ରହିଛି । ଗୋଟିଏ ପଟେ ମଣିଷ ବିକାଶ ଲାଭ କରୁଥିବା ବେଳେ ଅନ୍ୟପଟେ ପ୍ରକୃତିକୁ ନଷ୍ଟ କରିଚାଲିଛି । ତେଣୁ ଏହାର ଭୟଙ୍କର କୁପରିଣତି ମଣିଷ ସମାଜ ଭୋଗିପାରେ । ଆଗାମୀ କିଛି ବର୍ଷ ମଧ୍ୟରେ ଆପଣମାନେ ଆଉ ଆକାଶରେ ଚିକମିକ୍ କରୁଥିବା ତାରାଙ୍କୁ ଦେଖିବାକୁ ବୋଧହୁଏ ପାଇନପାରନ୍ତି । ଏନେଇ ବୈଜ୍ଞାନିକମାନେ ପୂର୍ବରୁ ଚେତାବନୀ ଦେଇସାରିଥିବା ବେଳେ ଏହା କେତେଦୂର ସତ ହେବ ତାହା ଏବେ ସମଗ୍ର ମାନବ ସଭ୍ୟତା ପାଇଁ ଏକ ବଡ଼ ପ୍ରଶ୍ନ ।
ଗତ ବର୍ଷ ବୈଜ୍ଞାନିକମାନେ ଏନେଇ ଏକ ବଡ଼ ଚେତାବନୀ ଦେଇଥିଲେ । ଆଲୋକ ପ୍ରଦୂଷଣର ଭୟଙ୍କର କୁପ୍ରଭାବ ଫଳରେ ଆଗାମୀ ୨୦ ବର୍ଷ ମଧ୍ୟରେ ଆକାଶରୁ ତାରାମାନେ ଅଦୃଶ୍ୟ ହେଇଯିବେ ବୋଲି ବ୍ରିଟେନର ଜ୍ୟୋତିର୍ବିଜ୍ଞାନ ମାର୍ଟିନ ରିଜ୍ ସୂଚନା ଦେଇଥିଲେ । ସେହିପରି ବିଶ୍ୱର ପାଖାପାଖି ଏକତୃତୀୟାଂଶ ଲୋକଙ୍କ ପାଖରେ ଆକାଶଗଙ୍ଗାକୁ ଦେଖିବାର କ୍ଷମତା ରହିବନି ବୋଲି ଗତ ୨୦୧୬ରେ ଏକ ରିପୋର୍ଟରେ କୁହାଯାଇଥିଲା । ଏଲଇଡି ଓ ଅନ୍ୟ କୃତ୍ରିମ ଲାଇଟ କାରଣରୁ ରାତି ସମୟରେ ଆକାଶ ଅଧିକ ଚମକିବାରେ ଲାଗିଛି ।
ତେବେ ଆଲୋକ ପ୍ରଦୂଷଣ ବଢ଼ିବା କାରଣରୁ ଆଗାମୀ ଦିନରେ ତାରାଙ୍କୁ ଆଉ ଦେଖିବା ସମ୍ଭବପର ହେବ ନାହିଁ । ଯଦି ଏପରି କିଛି ଘଟେ ପରବର୍ତ୍ତୀ ପୀଢ଼ି ହୁଏତ ରାତିରେ ଆଉ ତାରାଙ୍କୁ ଦେଖିବାକୁ ପାଇବେ ନାହିଁ । ଏବେ ଯଦି ୨୫୦ଟି ତାରା ଦୃଶ୍ୟମାନ ହେଉଛି ତେବେ ଏହି ସମୟରେ ଜନ୍ମ ନେଇଥିବା ପିଲାଟି ୧୮ ବର୍ଷରେ ପହଞ୍ଚିବା ବେଳକୁ ମାତ୍ର ୧୦ଟି ତାରାଙ୍କୁ ଦେଖିବାକୁ ପାଇବ ବୋଲି ମାର୍ଟିନ କହିଥିଲେ । କିଛି ବର୍ଷ ପୂର୍ବରୁ ଆକାଶର ତାରାଙ୍କୁ ସ୍ପଷ୍ଟ ଭାବେ ଦେଖିବା ସମ୍ଭବ ହେଉଥିବା ବେଳେ ଏବେ ସେହି ଦୃଶ୍ୟ ଦୁର୍ଲ୍ଲଭ ହୋଇ ପଡ଼ିଛି ।