fbpx

କ୍ରିକେଟରୁ ବିଦାୟ ନେବେ ଷ୍ଟିଭ୍ ସ୍ମିଥ୍? Retirement ନେଇ ବଡ଼ ଖୁଲାସା କଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ: ଅଷ୍ଟେଲିଆ କ୍ରିକେଟର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ଷ୍ଟିଭ୍ ସ୍ମିଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାଥୀ ଖେଳାଳି ଡାଭିଡ ୱାର୍ଣ୍ଣରଙ୍କ ପରେ କ୍ରିକେଟରୁ ବିଦାୟ ନେବା ପରେ ସ୍ମିଥଙ୍କ ଅବସରକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ତେବେ ଏ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ । କ୍ରିକେଟରୁ ଅବସର ନେଇ ସ୍ମିଥ୍ ନିଜ ପ୍ଲାନ ବିଷୟରେ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଭଲ ଫର୍ମରେ ଥିବା ବେଳେ କ୍ରିକେଟରୁ ଅବସର ନେବାର କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ସ୍ମିଥ୍ ।

ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ କହିଛନ୍ତି ଯେ, ନିଜ ଦମଦାର କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ତାଙ୍କର କୌଣସି ଯୋଜନା ନାହିଁ । ନିକଟରେ ସିଡନୀ ସିକ୍ସର୍ସଙ୍କ ସହ ୩ ବର୍ଷର ଚୁକ୍ତି କରିଥିବା ବେଳେ ସେ ବିଗ୍ ବାଶ୍ ଲିଗରେ କମବ୍ୟାକ କରିବାକୁ ଯାଉଛନ୍ତି । ସଂଯୁକ୍ତ ରାଜ୍ୟ ଆମେରିକା ଏବଂ କ୍ୟାରବିୟନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ଟିମରୁ ବାଦ୍ ପଡ଼ିବା ପରେ ସ୍ମିଥ୍ ସମସ୍ତ ପ୍ରକାର ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ଅଛନ୍ତି । ଅବସର ସମ୍ପର୍କରେ ସ୍ମିଥ୍ କହିଛନ୍ତି ଯେ, “ମୋର ଏଭଳି କୌଣସି ଯୋଜନା ନାହିଁ । ମୁଁ ଏବେ କେବଳ ଖେଳିବାର ମଜା ନେଉଛି । ମୁଁ ଖୁବ ଆରାମରେ ରହିଛି ଏବଂ ସମର୍ ଟେଷ୍ଟ ସିଜନର ଅପେକ୍ଷା କରିଛି ।”

ତେବେ ଟେଷ୍ଟ କ୍ରିକେଟରେ ସ୍ମିଥଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ଗତ ଘରୋଇ ସିଜନରେ ପାକିସ୍ତାନ ସିରିଜ ପରେ ଡାଭିଡ ୱାର୍ଣ୍ଣରଙ୍କ ଅବସର ପରେ ଏହି ଚର୍ଚ୍ଚା ବୃଦ୍ଧି ପାଇଛି । ୱେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସ୍ମିଥ୍ ଦଳ ତରଫରୁ ଓପନିଙ୍ଗ କରିଥିଲେ । କିନ୍ତୁ ୮ଟି ଇନିଂସରେ ୨୮.୨୫ ହାରରେ ମାତ୍ର ୧୭୧ ରନ୍ କରିବାରେ ସେ ସମର୍ଥ ହୋଇଛନ୍ତି । ତେବେ ଏହି ପ୍ରଦର୍ଶନ ପରେ ସ୍ମିଥ୍ ପୁଣିଥରେ ନିଜ ସ୍ଥାନ(୪ ନମ୍ବର)କୁ ଫେରିପାରନ୍ତି ବୋଲି କୁହାଯାଉଛି । ତେବେ ସ୍ମିଥଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଖେଳାଳିଙ୍କୁ ଓପନିଙ୍ଗ ଭାର ଦେଇପାରେ ଟିମ ମ୍ୟାନେଜମେଣ୍ଟ । ତେବେ ତାଲିକାରେ ସବୁଠୁ ଆଗରେ ରହିଛନ୍ତି ମିଚେଲ ମାର୍ଶ ।

Get real time updates directly on you device, subscribe now.