ବିରୋଧୀଙ୍କ ଦିଲ୍ଲୀ ବୈଠକରେ ଆଲୋଚନା ହେବ କି ୯୨ ସାଂସଦ ନିଲମ୍ବନ ପ୍ରସଙ୍ଗ?

ନୂଆଦିଲ୍ଲୀ: ଆଜି ବିରୋଧୀ ଇଣ୍ଡିଆ ମେଣ୍ଟର ଦିଲ୍ଲୀ ବୈଠକ। ଆୟୋଜିତ ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ମାନେ ନିଜ ନିଜ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ତେବେ ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ ଆସନ ଭାଗବଣ୍ଟା ଉପରେ ବିରୋଧୀ ମାନେ ଫୋକସ କରିବେ ବୋଲି କୁହାଯାଉଛି। କେଉଁ ଦଳ କେଉଁ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବେ, ତା’ର ନିଷ୍ପତ୍ତି ବୈଠକରେ ନିଆଯିବ। ଅନ୍ୟପଟେ ଲୋକସଭାର ଉଭୟ ଗୃହରୁ ମୋଟ ୯୨ ବିରୋଧୀ ସାଂସଦ ନିଲମ୍ବନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ବିଶୃଙ୍ଖଳା ଆଚରଣ ପାଇଁ ଗତକାଲି ସର୍ବାଧିକ ସାଂସଦ ଲୋକସଭାରୁ ନିଲମ୍ବିନ ହୋଇଛନ୍ତି, ଯାହା ବିରୋଧୀଙ୍କୁ ଏକ ଶକ୍ତ ଝଟକା ଦେଇଛି। ପୂର୍ବରୁ ଓ ପରେ ମିଶାଇ ଏଯାବତ ମୋଟ ୯୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଛି।

କେମିତି ହେବ ଆସନ ଭାଗବଣ୍ଟା?

ବିଶେଷକରି ଆସନ ଭାଗବଣ୍ଟାକୁ ନେଇ ବିରୋଧୀଙ୍କ ମଧ୍ୟରେ ବିବାଦ ଲାଗି ରହିଆସୁଛି। ମୁଖ୍ୟ ବିରୋଧୀ ବିଜେପି ସହ ଇଣ୍ଡିଆ ମେଣ୍ଟ ଲଢ଼ିବାକୁ ଚାହୁଁଥିଲେ ବି କୌଣସି ଆସନ ଭାଗବଣ୍ଟାକୁ ନେଇ କମି ରହିଯାଉଛି। ଫଳରେ ବିପକ୍ଷ ବିଜେପି ଏହାର ଫାଇଦା ଉଠାଉଛି । ଯେମିତି କି, ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଏଠାରେ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ ବୁଝାମଣା କରିବାକୁ ପଡିବ। ଯଦି ଏଭଳି କୌଣସି ନିର୍ଣ୍ଣାୟକ ନିଷ୍ପତି ନ ନିଆଯାଏ, ତାହେଲେ ଦଳକୁ ବାରମ୍ବାର ପରାସ୍ତ ହେବାକୁ ପଡିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

୯୨ ସାଂସଦ ନିଲମ୍ବନ ପ୍ରସଙ୍ଗ:

ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ତେଣୁ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି। ଗତକାଲି ଅଭୂତପୂର୍ବ ଘଟଣାକ୍ରମରେ ୭୮ ଜଣ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଗୋଟିଏ ଦିନରେ ଏତେ ସଂଖ୍ୟକ ସାଂସଦଙ୍କୁ ଏହାପୂର୍ବରୁ କେବେ ସସ୍‌ପେଣ୍ଡ କରଯାଇ ନାହିଁ। ହେଲେ ଗତ ସପ୍ତାହ ଏହି ପ୍ରସଙ୍ଗରେ ୧୪ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଗତକାଲି ଆଉ ୭୮ ଜଣ ସାଂସଦଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ଏହି ପ୍ରସଙ୍ଗରେ ଉଭୟ ଗୃହର ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ ସମୂହ ବିରୋଧ ପାଇଁ ଆଜିର ବୈଠକରେ ଆଲୋଚନା ହୋଇପାରେ। କିଛି ଭିନ୍ନ ତରିକାରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।