ବାଲିମେଳା (ଆପ୍ର) : ଦାଦନ ଶ୍ରମିକଙ୍କ ମୃତ୍ୟ । ନିଜ ପେଟ ଲାଗି କାମ କରିବାକୁ ଆନ୍ଧ୍ରକୁ ଯାଇ ଶବ ହୋଇ ଫେରିଲେ ଜଣେ ମହିଳା । ତେବେ ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତର କେନ୍ଦୁଗୁଡା ଗ୍ରାମରେ ଦେଖିବାକୁ ମିଳିଛି ।
ଗ୍ରାମର ଲକ୍ଷ୍ମଣ ଖିଲ ନାମକ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଯମୁନା ଖରା(୨୫) ଦୁହେଁ ତେଲେଙ୍ଗାନା ରାଜ୍ୟର ନିଜମାବାଦକୁ ଦାଦନ ଖଟିବା ନିମନ୍ତେ ଯାଇଥିଲେ । ତେବେ ହଠାତ ୨ ଦିନ ତଳେ ସେଠାରେ ସ୍ତ୍ରୀ ଯମୁନା ଡିଜେଲ ଢାଳି ହୋଇ ଆତ୍ମହତ୍ୟା କରିଥିଲେ । ଯମୁନା ଡିଜେଲ ଢାଳିବା ଦେଖି ଅନ୍ୟ ଶ୍ରମିକ ମାନେ ତାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ସେ ଦେହରେ ନିଆଁ ଲଗେଇ ହୋଇ କଷ୍ଟ ସହ୍ୟ କରିନପାରି ନିକଟସ୍ଥ ଏକ କୂଅ ମଧ୍ୟରେ ପଡି ଯାଇଥିଲେ । ପରେ କ୍ରେନ ମାଧ୍ୟମରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ସ୍ଥାନୀୟ ଠିକାଦାର ଙ୍କ ସହାୟତାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ମହିଳା ଜଣଙ୍କ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ମହିଳା ଜଣକ ଡିଜେଲ ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ଠିକାଦାର କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଟଙ୍କାକୁ ନେଇ ଗଣ୍ଡଗୋଳ ହେବାରୁ ଏପରି ପରିସ୍ଥିତି ଉପୁଜିଥିବା ସୂଚନା ଦେଇଛନ୍ତି ।
ତେବେ ମହିଳା ଜଣଙ୍କୁ ନିଜ ଘରକୁ ତେଲେଙ୍ଗାନାରୁ ଅଣାଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି ।