fbpx

ଯୌତୁକ ଯନ୍ତ୍ରଣାର କରୁଣ କାହାଣୀ; ଚାରି ବର୍ଷର ଶିଶୁ ହରାଇଲା ମାଆର ପଣତକାନି

ପୁଣି ଥରେ ସାମ୍ନାକୁ ଆସିଛି ଯୌତୁକ ନିର୍ଯ୍ୟାତନାର କରୁଣ କାହାଣୀ । ଯୌତୁକ ଲୋଭୀ ମଣିଷ ସାମାନ୍ୟ କିଛି ଅର୍ଥ ଲୋଭରେ ସଂପର୍କକୁ ତୁଚ୍ଛ କରିଦେଉଛି । ଆଉ ଏହି ଯୌତୁକ ପାଇଁ ଚାଲିଯାଉଛି ଅନେକ ମହିଳା ଜୀବନ । ଏବେ ପୁଣିଥରେ ଏଭଳି ଏକ ଯୌତୁକ ଯନ୍ତ୍ରଣାର ଘଟଣା ସାମ୍ନାକୁ ଆସିଛି । ଦିନେ ଯାହାକୁ ଭଲପାଇ ଘର ଲୋକଙ୍କ ସହ ସମ୍ପର୍କ କାଟି ହାତଧରି ବାହା ହୋଇଥିଲା, ସେହି ଲୋକ ଆଜି ରାକ୍ଷସ ସାଜି ଜୀବନ ନେଇଗଲା ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୈତାପୁର ଗ୍ରାମରେ । ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ରଶ୍ମିତାକୁ ତେଲିଆପଡ଼ା ଗ୍ରାମର ହରିହର ବେହେରା ନାମକ ଜଣେ ଯୁବକ ଭଲ ପାଇ ବଳପୂର୍ବକ ଉଠାଇ ନେଇ ବିବାହ କରିଥିଲା ଏବଂ ରଶ୍ମିତାର ବାପା ଘର ସମ୍ପର୍କ ମଧ୍ୟ ଛିନ୍ନ କରିଦେଇଥିଲା । କିନ୍ତୁ ବିବାହର କିଛିଦିନ ପରେ ଘର ଲୋକଙ୍କ ସହ ସ୍ୱାମୀ ଓ ପରିବାର ଲୋକେ ରଶ୍ମିତାକୁ ଯୌତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ  ।

କେତେବେଳେ ଯୌତୁକ ଜିନିଷ ତ କେତେବେଳେ ଜମି ନିଜ ନାଁରେ କରେଇଦେବା ପାଇଁ ଦାବି କରୁଥିଲେ  । ଏମିତିକି ତାଙ୍କୁ ବିଷ ଦେଇ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହାପରେ ଘଟଣା ରଶ୍ମିତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ, ଏବଂ ପଞ୍ଚାୟତରେ ଘଟଣାର ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।

ତେବେ ଏହାର କିଛିଦିନ ପରେ ରଶ୍ମିତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତିକରାଯାଇଥିବା ନେଇ ଖବର ପାଇବା ପରେ ରଶ୍ମିତା ଭାଇ ପହଞ୍ଚିଥିଲେ ଭଦ୍ରକ ମେଡିକାଲରେ । ତାଙ୍କର ଅବସ୍ଥା ସଂକଟାପନ୍ନ ଥିଲା ଏବଂ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ରଶ୍ମିତାଙ୍କୁ ମାଡ଼ ମାରି ଦରମରା କରିଦେଇଥିଲେ ଶାଶୁଘର ଲୋକେ ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଆଉ ଏବେ ରଶ୍ମିତାଙ୍କ ପରିବାର ଲୋକ ସିମୁଳିଆ ଥାନାରେ ନ୍ୟାୟ ପାଇଁ ଗୁହାରି କରିଥିବାବେଳେ ରଶ୍ମିତାଙ୍କ ୪ ବର୍ଷର ଝିଅ ନିଜ ମା ‘ କୁ ହରାଇ ବାହୁନି ବାହୁନି କାନ୍ଦୁଛି । ଦେଖିବାକୁ ବାକି ରହିଲା ପୋଲିସ ଘଟଣାର ତଦନ୍ତ କରି କେବେ ଦୋଷୀକୁ ଗିରଫ କରୁଛି  ।

Get real time updates directly on you device, subscribe now.