ସ୍ତ୍ରୀ ସହ ରହିବାକୁ ଡରଲାଗୁଛି… (Video) ପ୍ରେମିକ ସହିତ ମିଶି ସ୍ୱାମୀ ଉପରେ ଗାଡ଼ି ଚଢ଼ାଇଲା କଳିଯୁଗ ସାବିତ୍ରୀ

ପ୍ରେମରେ ଅନ୍ଧୁଣୀ ପାଲଟିଛି ସ୍ତ୍ରୀ । ସ୍ୱାମୀ, ପିଲାଙ୍କୁ ଛାଡ଼ି ପ୍ରେମିକ ସହ ବୁଲୁଛି ୩ ପିଲାର ମା’ ।

ଭୋପାଳ: ମଧ୍ୟପ୍ରଦେଶ ଗ୍ୱାଲିଓରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାରିବାର ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ଲଭରଙ୍କ ସହ ମିଶି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଥିବା ପୀଡ଼ିତ ଅନୀଲ କୁମାର ଅଭିଯୋଗ ଆଣିଛନ୍ତି ।

ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଭାବେ ରେକର୍ଡ ହୋଇ ରହିଛି । ତେବେ ଏହା ଏକ ମରାଣାନ୍ତକ ଆକ୍ରମଣ ହୋଇଥିବାବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହିଁ । ପ୍ରମାଣ ଥାଇ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।

ପୀଡ଼ିତ ଅନୀଲ କୁମାର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନୀଲଙ୍କ ଉପରେ କାର ଚଢ଼େଇ ସ୍ତ୍ରୀଙ୍କ ପ୍ରେମିକ ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଯେଉଁଥିରେ ଅନୀଲଙ୍କ ସ୍ତ୍ରୀ ମଧ୍ୟ ସମ୍ପୃକ୍ତ ଅଛନ୍ତି ।

ଟକେନପୁରରେ ରଜନୀଙ୍କ ଘର । ୨୦୧୬ରେ ଅନୀଲଙ୍କ ସହ ରଜନୀଙ୍କ ବାହାଘର ହୋଇଥିଲା ।ଦୁହିଁଙ୍କର ୩ ପିଲାପିଲି ଅଛନ୍ତି । ରଜନୀ ଶାଶୁଘରେ ନ ରହି ଟେକେନପୁର ସ୍ଥିତ ବାପଘରେ ରହୁଥିଲେ ।

ରଜନୀଙ୍କ ଘର ପାଖରେ ପ୍ରେମିକ ମଙ୍ଗଲ ସିଂ ରୁହନ୍ତି । ଦୁହିଁଙ୍କ ମିଳାମିଶା ଦେଖି ଅନୀଲଙ୍କ ମନରେ ସନ୍ଦେହ ହୋଇଥିଲା । ଯାହାପରେ ଘଟଣାଦିନ ରଜନୀ ବାହାନା କରି ଘରୁ ବାହାରକୁ ମଙ୍ଗଲ ସହ ଯିବା ପରେ ଅନୀଲ ବସଷ୍ଟାଣ୍ଡରେ ଜଗି ବସିଥିଲେ ।

ବସଷ୍ଟାଣ୍ଡରେ ରଜନୀ ଏକ କାରରୁ ଓହ୍ଲାଇବା ପରେ ଅନୀଲ ସେଠାରେ ପହଞ୍ଚି କାରକୁ ଅଟକାଇବା ଆରମ୍ଭ କଲେ, କିନ୍ତୁ କାର ଚଲାଉଥିବା ମଙ୍ଗଲ ଅନୀଲଙ୍କ ଉପରେ କାର୍ ଚଢ଼ାଇ ଦେଇ ଚାଲିଯାଇଥିଲେ ।

ଯାହାପରେ ସ୍ଥାନୀୟ ଲୋକେ ଅନୀଲଙ୍କୁ ଡାକ୍ତରଖାନା ନେଇଥିଲେ । ଏବେ ରଜନୀ ଅନୀଲଙ୍କ ପାଖରେ ରହିବା ପାଇଁ ତାଙ୍କ ନିକଟକୁ ଆସିଥିବାବେଳେ ଅନୀଲ ତାଙ୍କ ସ୍ତ୍ରୀଙ୍କ ସହ ରହିବାକୁ ଚାହୁଁ ନ ଥିବା କହିଛନ୍ତି । ସ୍ତ୍ରୀ ରଜନୀ ତାଙ୍କୁ କେଉଁ ମୁହୁର୍ତ୍ତରେ ମାରି ଦେବା ନେଇ ସେ ଡରୁଥିବା କହିଛନ୍ତି ।