fbpx

ବିବାହକୁ ସହକର୍ମୀ ନ ଆସିବାରୁ ଚାକିରିରୁ ଇସ୍ତଫା ଦେଲେ ମହିଳା, ୭୦ଜଣଙ୍କ ମଧ୍ୟରୁ ଆସିଥିଲେ ମାତ୍ର ଜଣେ ସହକର୍ମୀ

ନୂଆଦିଲ୍ଲୀ: ନିଜର ବିବାହ ଉତ୍ସବକୁ ନିମନ୍ତ୍ରଣ କରିଥିବା ସହକର୍ମୀମାନେ ନ ଆସିବାରୁ ଏଥିରେ କ୍ଷୁବ୍‌ଧ ହୋଇ ଜଣେ ଚିନି ମହିଳା ତାଙ୍କ ପାଞ୍ଚ ବର୍ଷର ଚାକିରି ତ୍ୟାଗ କରିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚିନି ଖବରକାଗଜ ‘ଇଟି ଟୁଡେ’ରେ ପ୍ରକାଶିତ ସମ୍ବାଦ ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ଏକ ବେସରକାରୀ କମ୍ପାନିରେ କାମ କରୁଥିଲେ ଯେଉଁଠି ତାଙ୍କର ୭୦ ଜଣ ସହକର୍ମୀ ଥିଲେ । ସମସ୍ତଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ମଧ୍ୟ ରହିଥିଲା । ଏପରିକି ପ୍ରାୟ ଏକତୃତୀୟାଂଶ ସହକର୍ମୀଙ୍କ ନିମନ୍ତ୍ରଣ ରକ୍ଷା କରି ସେ ସେମାନଙ୍କ ବିଭିନ୍ନ ସାମାଜିକ ଉତ୍ସବରେ ଯୋଗ ଦେଇଆସୁଥିଲେ । ନିକଟରେ ସେହି ମହିଳାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେ ସମସ୍ତ ସହକର୍ମୀଙ୍କୁ ଆସିବାକୁ ନିମନ୍ତ୍ରଣ କରି ଆଶା ରଖିଥିଲେ ଯେ ସେମାନେ ଆସି ତାଙ୍କୁ ଉତ୍ସାହିତ କରିବେ । ମାତ୍ର ସେମାନଙ୍କ ଭିତରୁ ଜଣେ ମାତ୍ର ସହକର୍ମୀ ତାଙ୍କର ବିବାହ ଉତ୍ସବରେ ଉପସ୍ଥିତ ରହିଥିଲେ । ଏଥିରେ ସେ ଭୀଷଣ ଅପମାନିତ ବୋଧ କରିଥିଲେ ।

ଏହାଦ୍ୱାରା କାର୍ଯ୍ୟାଳୟରେ ସହକର୍ମୀମାନଙ୍କ ସହ ତାଙ୍କର ସୁସମ୍ପର୍କ ନାହିଁ ବୋଲି ମଧ୍ୟ କେହିକେହି ବନ୍ଧୁବାନ୍ଧବ ପରୋକ୍ଷରେ କଟାକ୍ଷ କରିଥିଲେ । ଏଥିରେ ମହିଳା ଜଣକ କ୍ଷୁବ୍‌ଧ ହୋଇ ବିବାହ ପରେ ପରେ କମ୍ପାନି କର୍ତ୍ତୃ କ୍ଷଙ୍କୁ ନିଜର ଇସ୍ତଫା ପତ୍ର ପଠେଇଦେଇଥିଲେ । ଏଥିରେ ଅନ୍ୟ ସହଯୋଗୀ ଓ କମ୍ପାନୀ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସଂପୃକ୍ତ ମହିଳାଙ୍କୁ କମ୍ପାନିରେ ଯୋଗଦେବା ଲାଗି ନିବେଦନ କରିଥିଲେ । ମାତ୍ର ତାଙ୍କୁ ବିବାହ ପରି ଶୁଭ ଉତ୍ସବରେ ଅପମାନିତ କରିଥିବା ସହକର୍ମୀମାନଙ୍କ ସହ ସେ ଆଉ କାମ କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଜିଦ୍‌ରେ ଅଟଳ ରହିଛନ୍ତି।

Get real time updates directly on you device, subscribe now.