fbpx

ମହିଳା ଏସିଆ କପ ୨୦୨୪ ଶିଡ୍ୟୁଲ ଘୋଷଣା: ଜୁଲାଇ ୨୧ରେ ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପରିଷଦ (ଏସସି) ପକ୍ଷରୁ ମହିଳା ଏସିଆ କପ୍ ୨୦୨୪ର ଶିଡ୍ୟୁଲ ଜାରି କରାଯାଇଛି । ଜୁଲାଇ ୧୯ରେ ଭାରତ ତା’ର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳିବ । ଏହାପରେ ୨୧ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ । ପୁଣି ଥରେ ଭାରତ-ପାକ୍ ମହିଳା କ୍ରିକେଟ ଟିମ୍ ମୈଦାନରେ ମୁହାଁମୁହିଁ ହେବେ । ଏହା ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର । ଭାରତ ଓ ପାକିସ୍ତାନ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚକୁ ସର୍ବଦା କ୍ରୀଡ଼ାପ୍ରେମୀ ଚାତକ ପରି ଚାହିଁ ରହିଥାନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଭାରତ, ପାକିସ୍ତାନ, ନେପାଳ ଓ ୟୁଏଇ ଗ୍ରୁପ-ଏ’ରେ ରହିଥିବା ବେଳେ ବାଂଲାଦେଶ, ମାଲେଶିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଅନ୍ୟ ଗ୍ରୁପରେ ସ୍ଥାନ ପାଇଛନ୍ତି । ଗତ ସଂସ୍କରଣରେ ୭ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଜୁଲାଇ ୧୯ରୁ ୨୮ ପର୍ଯ୍ୟନ୍ତ ଶ୍ରୀଲଙ୍କାର ଡାମ୍ବୁଲା ଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ପ୍ରତ୍ୟେକ ଗ୍ରୁପର ଟପ୍ ଦୁଇଟି ଟିମ୍ ସେମିଫାଇନାଲ ପାଇ ଯୋଗ୍ୟତା ଅର୍ଜନ କରିବେ । ୨୬ରେ ସେମିଫାଇନାଲ ଓ ୨୮ରେ ଫାଇନାଲ ଖେଳାଯିବ । ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସର୍ବାଧିକ ୭ ଥର ଚାମ୍ପିୟନ ହୋଇଛି । ଗତ ୨୦୨୨ ମସିହା ସଂସ୍କରଣରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ସେପ୍ଟେମ୍ବର-ଅକ୍ଟୋବରରେ ବାଂଲାଦେଶରେ ଖେଳାଯିବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.