fbpx

ଜେଲ୍‌ରୁ ବାହାରି ଏକାନ୍ତବାସରେ ଗଲେ ଫଳହାରୀ ବାବା, ବଳାତ୍କାର ଅଭିଯୋଗରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ଅଲୱର: ବଳାତ୍କାର କେସ୍‌ରେ ଜେଲ୍‌ଦଣ୍ଡ ଭୋଗୁଥିବା ଅଲୱରର ଫଳାହାରୀ ବାବାଙ୍କୁ ହାଇକୋର୍ଟରୁ ୨୦ ଦିନ ପାଇଁ ପାରୋଲ ମିଳିଯାଇଛି । ବାବାଙ୍କ ଆଶ୍ରମର ମହାରାଜ ସୁଦର୍ଶନାଚାର୍ଯ୍ୟ କହିଛନ୍ତି ଫଳାହାରୀ ମହାରାଜ ସୁସ୍ଥ ଅଛନ୍ତି । କିନ୍ତୁ ସେ କାହାକୁ ସାକ୍ଷାତ କରିବା କିମ୍ବା କଥା ହେବାକୁ ଚାହୁଁ ନାହାନ୍ତି । ଯେବେଠାରୁ ସେ ଜେଲ୍ ଯାଇଛନ୍ତି ସେବେଠାରୁ ଏ ପର୍ଯ୍ୟନ୍ତ ସେ ମୌନ ଅଛନ୍ତି । ଜେଲ୍‌ରୁ ବାହାରିବା ପରେ ସେ କାହା ସହ କିଛି କଥା ହୋଇନାହାନ୍ତି ଓ ସିଧା ଏକାନ୍ତବାସରେ ଚାଲି ଯାଇଛନ୍ତି ।

ଏହି ଫଳାହାରୀ ବାବାଙ୍କ ବିରୁଦ୍ଧରେ ୨୦୧୭ , ୧୧ ସେପ୍ଟେମ୍ବରରେ ଛତିଶଗଡ ବିଳାସପୁରରେ ରହୁଥିବା ୨୧ ବର୍ଷୀୟା ପୀଡିତା ବଳାତ୍କାର ଅଭିଯୋଗ ଆଣିଥିଲେ । ଏହାପରେ ଛତିଶଗଡ ପୋଲିସ ଜିରୋ ଏଫଆଇଆର୍ ଦାଖଲ କରି ପୀଡିତାଙ୍କ ଡାକ୍ତରୀ ମାଇନା କରାଇଥିଲେ । ଛତିଶଗଡ ପୋଲିସ ପୀଡିତାଙ୍କ ବୟାନ ଆଧାରରେ ରିପୋର୍ଟ ପସ୍ତୁତ କରି ଅଲୱର ପୋଲିସକୁ ପଠାଇ ଦେଇଥିଲେ ।

ଏହାପରେ ଅରାବଳୀ ବିହାର ଥାନାରେ ଏହି ସମ୍ବନ୍ଧରେ ମାମଲା ରୁଜୁ ହୋଇଥିଲା । ଯାଞ୍ଚ ପରେ ପୋଲିସ କୋର୍ଟରେ ୪୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଫାଇଲ୍ କରିଥିଲା । ପ୍ରାୟ ୮ ମାସ ପର୍ଯ୍ୟନ୍ତ ଏହି ମାମଲାରେ କୋର୍ଟରେ ଶୁଣାଣୀ ଚାଲିଥିଲା । ଶୁଣାଣୀ ସମୟରେ କୋର୍ଟରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ୨୬ ସେପ୍ଟେମ୍ବର ୨୦୧୮ରେ ଏଡିଜେ କୋର୍ଟ ଫଳାହାରୀ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେବେଠାରୁ ଫଳାହାରୀ ବାବା ଅଲୱର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦ ଥିଲେ । ଏହି ଫଳହାରୀ ବାବା ୪୦ ବର୍ଷ ଧରି କେବଳ ଫଳ ଆହାର ଗ୍ରହଣ କରି ଜୀବିତ ଅଛନ୍ତି ବୋଲି ତାଙ୍କ ଶିଷ୍ୟ ସୁଦର୍ଶନ ଆଚାର୍ଯ୍ୟ କହିଛନ୍ତି ।

Get real time updates directly on you device, subscribe now.