fbpx

(Video) ସାବଧାନ୍! ଆହୁରି ୪ ଦିନ ବର୍ଷିବ ନିଆଁ, ଘରୁ ନ ବାହାରିବାକୁ ପାଣିପାଗ ବିଭାଗର ସତର୍କବାଣୀ

ଭୁବନେଶ୍ୱର: ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ । ପ୍ରବଳ ଖରାକୁ ଅସହ୍ୟ ଗୁଳୁଗୁଳିରେ ସାରା ରାଜ୍ୟ କଲବଲ ହୋଇଉଠିବ । ଘରୁ ବାହାରିବା ତ ଦୂରର କଥା, ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ କିମ୍ବା ତା’ଠାରୁ ଅଧିକ ରେକର୍ଡ ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଦିନ ୧୧ରୁ ୩ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।

ଏପ୍ରିଲ ମାସରେ ସବୁ ସୀମା ପାର କରି ସାରିଲାଣି ତାତି । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେହି ଏହି ସମୟରେ ଘରୁ ନବାରିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ରାଜ୍ୟବାସୀଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ହେଲାଣି ତାତି । ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ନୂଆପଡ଼ା ଓ ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର ଏବଂ ହୀରାକୁଦରେ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ା ଓ ତାଳଚେରରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ପାରଦ ୪୩.୧ ଡିଗ୍ରୀ ରହିଥିଲା ।

ସେହିପରି ଆଗାମୀ ୨ ଦିନ ପାଇଁ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ବର୍ଷା ହୋଇପାରେ । ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଛି । ଯାହା ଫଳରେ ଗରମ ବଢୁଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Get real time updates directly on you device, subscribe now.