fbpx

(video) ତୁମର ସେହି ୟୁନିଫର୍ମ ସହ ପୁଣି ଥରେ ଫେରିଆସନ୍ତ କି? ସହିଦ୍ ଯାବନ ସ୍ତ୍ରୀର ମନର କଥା

ଆଉ କିଛି ଦିନ ପରେ ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଯାହାକୁ ନେଇ ସବୁଆଡେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସ୍କୁଲ କଲେଜ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପାଳିତ ହେବ ସ୍ୱାଧୀନତା ଦିବସ । ସେ ଦିନ ଆକାଶରେ ଫରଫର ହୋଇ ଉଡିବ ତ୍ରିରଙ୍ଗା, ଆଉ କହିବ ବୀର ଯବାନମାନଙ୍କର ବୀରତ୍ୱର ଗାଥା । କିନ୍ତୁ ଏସବୁ ଭିତରେ ଜଣେ ସ୍ତ୍ରୀ ତାର ବୀର ଯବାନ ସ୍ୱାମୀଙ୍କ କଥାକୁ ମନେ ପକାଉଛି । ଆଉ କହୁଛି, “ଆଜି ତୁମ କଥା କାଇଁ ଭାରି ମନେ ପଡୁଛି । ଆଜି ଯଦି ତୁମେ ଥାନ୍ତ ତୁମେ ବି ଏହି ପ୍ରସ୍ତୁତିରେ ସାମିଲ ହୋଇଥାନ୍ତ ନା । ତୁମକୁ ବି ସ୍ୱାଧୀନତା ଦିବସରେ ନିଜ ୟୁନିଫର୍ମ ସହ ପ୍ୟାରେଡ କରୁଥିବାର ଦେଖି ମୋ ଛାତି ବି କୁଣ୍ଢେମୋଟ ହେଇଯାଉଥାନ୍ତା ନା” ।

ଆଜି ବଜାରରେ ଯେତେବେଳେ ତ୍ରିରଙ୍ଗା ବିକ୍ରୀ ହେଉଥିବାର ଦେଖୁଛି ମୋର ସେଦିନର କଥା ମନେ ପଡିଯାଉଛି । କେମିତି ଅବା ଭୁଲିବି ମୁଁ ସେ ଦିନ କୁ, ଯେଉଁଦିନ ଏ ତ୍ରିରଙ୍ଗା ଘୋଡେଇ ହୋଇ ମୋ ପାଖକୁ ତୁମେ ଆସିଥିଲ । ଯାହାକୁ ଦେଖି ମୋ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଇଥିଲା । କିନ୍ତୁ ସେଦିନ ତୁମେ ମୋ ଉପରେ ସତେ ଯେପରି ଅଭିମାନ କରିଥିଲ । ଯେତେ ଡାକିଲେ ବି କଥା ପଦେ କହୁନଥିଲ । ତେବେ ଶୁଣିଥିଲି ତ୍ରିରଙ୍ଗା ମନରେ ଦେଶପ୍ରେମର ଗର୍ବ ଭରିଦିଏ । ହଁ ଗର୍ବ ଆସିବନି ବା କେମିତି ? ତୁମେ ପରା ସେଦିନ ଏ ମାଟି ମା ଗେହ୍ଲା ପୁଅ ପାଲଟି ଯାଇଥିଲ ।

ଆଜି ବି ପୁଣି ସେଇ ସ୍ୱାଧୀନତା ଦିବସ ଆସିଛି । ଆକାଶରେ ଫରଫର ହୋଇ ତ୍ରିରଙ୍ଗା ଉଡୁଛି । କିନ୍ତୁ ତୁମେ ଆଉ ଫେରୁନାହଁ । ସହିଦ ଯବାନର ସ୍ତ୍ରୀ ହିସାବରେ ତୁମ ପାଇଁ ମନରେ ଅନେକ ଗର୍ବ ରହିଛି । କିନ୍ତୁ ଜଣେ ସାଧାରଣ ନାରୀ ହିସାବରେ ହୃଦୟ ଆଜି ବି ଏ ନିରାଟ ସତକୁ ମାନି ପାରୁନାହିଁ, ଯେ ତୁମେ ଅଫେରା ରାଇଜର ରାଜକୁମାର ହୋଇସାରିଛ । ଆଜି ସେହି ତ୍ରିରଙ୍ଗା ଅଛି । ତୁମର ସେ ୟୁନିଫର୍ମ ବି ଅଛି । କିନ୍ତୁ ତୁମେ ଫେରିବାର କଥା ଦେଇ ଆଉ ଫେରୁନାହଁ କାହିଁକି ? ତେବେ ପୁଣି ଥରେ ତୁମେ ଫେରିଆସନ୍ତନି, ସେହି ଯୁନିଫର୍ମ ପିନ୍ଧି ମୋ ସାମ୍ନାକୁ ।

 

Get real time updates directly on you device, subscribe now.