fbpx

ହତ୍ୟା ଅଭିଯୋଗ ଆସିବା ପରେ ଫେରାର୍ ହେଲେ ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାର!

ନୂଆଦିଲ୍ଲୀ, ୦୯/୦୫: ଦିଲ୍ଳୀର ଛତ୍ରସାଲ୍ ଷ୍ଟାଡିୟମରେ ମେ ୫ରେ କୁସ୍ତିିଯୋଦ୍ଧା ମାନଙ୍କର ଦୁଇ ଗୋଷ୍ଠୀ କୌଣସି କାରଣକୁ ନେଇ ଖୁବ୍ ଜୋରରେ ହାତାହାତୀ ହୋଇଥିଲେ । ସେଥି ମଧ୍ୟରେ ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ମଧ୍ୟ ସାମିଲ ଥିଲେ । ତେବେ ଏହି ଦୁଇ ଗୋଷ୍ଠୀ ଭିତରେ ହୋଇଥିବା ଗଣ୍ଡଗୋଳ ମଧ୍ୟରେ ୫ ଜଣ ଆହାତ ହୋଇଥିଲେ । ଉକ୍ତ ୫ ଜଣଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ମୃତ୍ୟୁ ହୋଇ ଯାଇଥିଲା । ଆଉ ଏହି ମାମଲାର ଏଫଆଇଆର୍ ରେ ସୁଶୀଲ କୁମାରଙ୍କ ନାଁ ସାମନାକୁ ଆସିଥିଲା ।

ବର୍ତ୍ତମାନ ସୁଶୀଲଙ୍କ ନାମରେ ହତ୍ୟା ଅଭିଯୋଗ ରହିଥିବା ବେଳେ ସେ ଫେରାର୍ ହୋଇ ଯାଇଥିବା ଜଣାପଡିଛି । ତାଙ୍କୁ ଖୋଜିବାକୁ ଯାଇ ଦିଲ୍ଲୀ ମଡେଲ୍ ଥାନାର ପୋଲିସ୍ ଅନେକ ଜାଗାରେ ଚଢ଼ାଉ କରିଛି ବୋଲି ଜଣାପଡିଛି । ତାଙ୍କୁ ପୋଲିସ୍ ଖୋଜୁଥିବା ବେଳେ ତାଙ୍କ ସନ୍ଧାନ ପାଇନି । ତେଣୁ ବିଭିନ୍ନ ମହଲରେ ସେ ଫେରାର୍ ଥିବା କୁହାଯାଉଛି । କିନ୍ତୁ ଏହା କେତେ ଦୂର ସତ ତାହା ସ୍ପଷ୍ଟ ହୋଇନାହିଁ । ଆହୁରି ବି ଶୁଣିବାକୁ ମିଳିଛି ଯେ, ସୁଶୀଲ କୁମାରଙ୍କୁ ଖୋଜିବାକୁ ପୋଲିସ୍ ଅନ୍ୟ ରାଜ୍ୟରେ ମଧ୍ୟ ପୋଲିସ୍ ଅଧିକାରୀଙ୍କୁ କାମରେ ଲଗାଯାଇଛି ।

ତେବେ ଦିଲ୍ଲୀ ପୋଲିସ୍ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ଯେ, ସୁଶୀଲ କୁମାର ଏହି ହତ୍ୟାକାଣ୍ଡରେ ସାମିଲ ଥିବାର ପ୍ରମାଣ ରହିଛି । ତେଣୁ ତାଙ୍କୁ ଖୋଜିବା ପାଇଁ ତାଙ୍କ ଶ୍ୱଶୁରଙ୍କ ସମେତ ଅନେକ ଜଣଙ୍କୁ ପଚାରାଉଚରା କରାଯାଇ ସାରିଛି । କିନ୍ତୁ ଏହି ମାମଲାରେ ତାଙ୍କ ନାଁ ଆସିବା ପରଠାରୁ ସେ ଫେରାର୍ ହୋଇଯାଇଥିବା ସୁଚନାରୁ ଜଣାପଡିଛି ।

Get real time updates directly on you device, subscribe now.