ବିବାଦକୁ ଅଧିକ ବଢାଇ ମୁସ୍କିଲରେ ଋଦ୍ଧିମାନ ଶାହା, ବିସିସିଆଇ ପଠାଇବ କାରଣ ଦର୍ଶାଅ ନୋଟିସ୍ !

ମୁମ୍ବାଇ: ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଦ୍ଧିମାନ ଶାହାଙ୍କ ଉପରେ ବିପଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଶାହାଙ୍କ ମୁସ୍କିଲ ଏବେ ଆହୁରି ବଢିପାରେ। ବିସିସିଆଇ ଏବେ ଶାହାଙ୍କୁ ପଚରା ଉଚୁରା କରିପାରେ । ଏଥିପାଇଁ ବୋର୍ଡ ପଶ୍ଚିମବଙ୍ଗର ଓ୍ଵିକେଟ୍ କିପରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବିଚାର କରୁଛି। ବୋର୍ଡ ଅନୁଯାୟୀ, ଶାହା କଣ୍ଟ୍ରାକ୍ଟ ଲିଷ୍ଟରେ ଥାଇ ସାର୍ବଜନୀନ ଭାବେ ଏମିତି ବୟାନ ଦେବା ବିସିସିଆଇ ନିୟମର ଉଲ୍ଲଂଘନ କରୁଛି।

ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି, ବୋର୍ଡ ଋଦ୍ଧିମାନ ଶାହାଙ୍କୁ ଏହି ପ୍ରଶ୍ନ କରିପାରେ ଯେ, କେନ୍ଦ୍ରୀୟ ଅନୁବନ୍ଧରେ ଥିବା ସତ୍ତ୍ଵେ ବି ଦଳ ଚୟନକୁ ନେଇ ସାର୍ବଜନୀନ କେମିତି ବୟାନ ଦେଲ ? ଅଧ୍ୟକ୍ଷ ଭାବେ ଗାଙ୍ଗୁଲି ତାଙ୍କୁ ପ୍ରେରିତ କରିବାକୁ ଉଦ୍ୟମ କରିଥିଲେ। ବୋର୍ଡ ଏହା ଜାଣିବାକୁ ଚେଷ୍ଟା କରିବ ଯେ, ଶାହା କେମିତି ରୁଦ୍ଧଦ୍ଵାର ବୈଠକରେ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନାକୁ ସାର୍ବଜନୀନ କଲେ।

୩୭ ବର୍ଷୀୟ ଶାହାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଚୟନ କରାଯାଇ ନାହିଁ। ଏହାକୁ ନେଇ ଶାହା ଅସନ୍ତୁଷ୍ଟ ପ୍ରକାଶ କରି କହିଥିଲେ ଯେ, ଦ୍ରାବିଡ ତାଙ୍କୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କୁ ନେଇ କହିଥିଲେ, ଯେ ପର‌୍ୟ୍ୟନ୍ତ ସେ ବୋର୍ଡ ଅଧ୍ୟକ୍ଷ ଅଛନ୍ତି, ସେ ପର‌୍ୟ୍ୟନ୍ତ ସେ ଦଳରେ ରହିବେ। ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ଶାହା ଗ୍ରୁପ ବିରେ ଅଛନ୍ତି ଏବଂ ବାର୍ଷିକ ତାଙ୍କୁ ୩ କୋଟି ଟଙ୍କା ମିଳିଥାଏ। ରିପୋର୍ଟ ଅନୁସାରେ ଶାହା ୬.୩ର ଉଲ୍ଲଂଘନ କରିଛନ୍ତି।