fbpx

ଟେଷ୍ଟ ସିରିଜରେ ଇତିହାସ ରଚିଲେ ଯଶସ୍ୱୀ: ପଛରେ ପଡ଼ିଲେ ସଚିନ୍-ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ଅର୍ଜନ କରିବାରେ ବିଫଳ ହୋଇଛନ୍ତି ଭାରତର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ । କିନ୍ତୁ ମ୍ୟାଚରେ ଏକ ବିସ୍ପୋରକ ଅର୍ଦ୍ଧଶତକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ରାଞ୍ଚି ଟେଷ୍ଟରେ ୭୩ ରନ୍ କରି ପାଭିଲିୟନ୍ ପେରିଛନ୍ତି ଟିମ ଇଣ୍ଡିଆର ଶତକବୀର । ଏହି ଅର୍ଦ୍ଧଶତକ ସହ ସେ ନିଜ ନାମରେ ଏକ ନୂଆ ଇତିହାସ ଲେଖିଛନ୍ତି । ପଞ୍ଚମ ଭାରତୀୟ ଭାବରେ କୌଣସି ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଛନ୍ତି ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ।

ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ଯେଉଁ କାରନାମା କରିବାରେ ଫେଲ ମାରିଛନ୍ତି, ଯଶସ୍ୱୀ ଜଏସ୍ୱାଲ ତାହାକୁ କରି ଦେଖାଇଛନ୍ତି । ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଯଶସ୍ୱୀ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଇନିଂସରେ ୫୫ ରନରେ ପହଞ୍ଚିବା ସହ ଏହି ଟେଷ୍ଟ ସିରିଜରେ ୬୦୦ ରନ୍ ପୂରଣ କରିଛନ୍ତି । ତେବେ କୌଣସି ଟେଷ୍ଟ ସିରିଜରେ ୬୦୦ ବା ଏହାଠାରୁ ଅଧିକ ରନ୍ କରିବା ତାଲିକାରେ ସେ ବର୍ତ୍ତମାନ ପଞ୍ଚମ ଭାରତୀୟ ଖେଳାଳି ପାଲଟିଛନ୍ତି । ଇଂଲଣ୍ଡ ବିପକ୍ଷ ଏହି ସିରିଜର ସପ୍ତମ ପାଳିରେ ଏହି ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ଭାରତର ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ ।

ଏହାପୂର୍ବରୁ ଭାରତର ୪ ଜଣ ବ୍ୟାଟର ଏହି କାରନାମା କରି ଦେଖାଇଛନ୍ତି । ଏହାପୂର୍ବରୁ ଭାରତର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ, ଦିଲ୍ଲୀପ ସରଦେଶାଇଙ୍କ ସମେତ କିଙ୍ଗ କୋହଲି କୌଣସି ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ସଫଳ ହୋଇଥିଲେ । ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡ ନିଜ ଟେଷ୍ଟ କ୍ୟାରିୟରରେ ଦୁଇ ଥର ଏହି ଉପଲବ୍ଧି ହାସଲ କରିଛନ୍ତି । ଜଏସ୍ୱାଲ ମାତ୍ର ୨୨ ବର୍ଷରେ ଏହି କାରନା କରି ଦେଖାଇଛନ୍ତି । ତେବେ ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡନ୍ ବ୍ରାଡମ୍ୟାନ୍ । ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମୋଟ ୯୭୪ ରନ୍ କରି ସେ ବିଶ୍ୱ ରେକର୍ଡର ଅଦିକାରୀ ହୋଇଛନ୍ତି ।

 

Get real time updates directly on you device, subscribe now.