fbpx

୧୮ ଜିଲ୍ଲା ସାବଧାନ ! ସନ୍ଧ୍ୟା ୬ଟା ଯାଏଁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । ଏହାରି ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝୁଙ୍କ ପବନ ସହ ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଜିଲ୍ଲାକୁ ସନ୍ଧ୍ୟା ୬ଟା ଯାଏ ଆଲର୍ଟ ଜାରି କରାଯାଇଛି ।

ପାଗକୁ ଦେଖି ଘରୁ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ରାଜ୍ୟରେ କାଳବୈଶାଖୀର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସର୍ବାଧିକ ୩୭.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାର ରାଇକିଆରେ ୩୦.୫ ମି.ମି., ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୨୭.୦, ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ୨୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ବାଲେଶ୍ୱର ଜିଲ୍ଲାର ରେମୁଣାରେ ଏବଂ କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବନିମ୍ନ ୨୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

Get real time updates directly on you device, subscribe now.