fbpx

ରାଜ୍ୟରେ ଆଜିଠାରୁ ପ୍ରାକ୍‍ ମୌସୁମୀ ବର୍ଷା ସମ୍ଭାବନା; ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୫ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ତେବେ ଆଜିଠାରୁ କେତେକ ଅଞ୍ଚଳରେ ପ୍ରାକ୍‍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ରବିବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହି ସମୟ ମଧ୍ୟରେ ବର୍ଷା ଲାଗି ରହିବାର ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୨ ତାରିଖରେ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟ କରାଯାଇଛି । ସେହିଭଳି କାଳବୈଶାଖୀ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

୨୩ ତାରିଖରୁ ବର୍ଷାର ପରିମାଣ ବଢ଼ିବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କଟକ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୨୪ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କଟକ, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୨୫ ତାରିଖରେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଅନ୍ୟପକ୍ଷରେ ବର୍ଷାର ପ୍ରଭାବରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ପଶ୍ଚିମ ଓଡ଼ିଶାର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‍ସିୟସ ଉପରେ ରେକର୍ଡ କରାଯାଇଥିଲା ।

 

Get real time updates directly on you device, subscribe now.