କାଳବୈଶାଖୀ ବର୍ଷା ପାଇଁ ଆଜି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, 50 କିଲୋମିଟର ବେଗରେ ବୋହିପାରେ ପବନ
ରାଜ୍ୟରେ ଆହୁରି 4 ଦିନ ଜାରି ରହିବ କାଳବୈଶାଖୀ ବର୍ଷା ।
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି । ସକାଳେ ଖରା ହେଉଥିବା ବେଳେ ଅପରାହ୍ନରେ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ସହ ବର୍ଷା ହେଉଛି ।
ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା 4 ଦିନ ଯାଏଁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ପାଇଁ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ମାରିବା ସହିତ 50ରୁ 60 କିମି ବେଗରେ ପବନ ବୋହିପାରେ ବୋଲି ମଧ୍ୟ କୁହାଯାଇଛି । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ଢେଙ୍କାନାଳ ଜିଲାରେ ମଧ୍ୟ ବର୍ଷା ସାଙ୍ଗକୁ ସ୍ବଳ୍ପ ପବନ ବୋହିପାରେ ।
ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା 4 ଦିନ ପର୍ଯ୍ୟନ୍ତ କାଳବୈଶାଖି ବର୍ଷାର ସମ୍ଭାବନା ରହିଥିବାକୁ ସତର୍କ କରିଛି ପାଣିପାଗ ବିଭାଗ ।
ତେବେ ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଓଡ଼ିଶାରେ ସ୍ବାଭାବିକ ମୌସୁମି ରହିବା ନେଇ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।