fbpx

ଶୁକ୍ରବାର ବେଳକୁ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଏହି ୧୭ ଜିଲ୍ଲାକୁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି । ଅପରପକ୍ଷରେ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ଶୁକ୍ରବାର ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୭ଟି ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି।

ସୂଚନା ଅନୁସାରେ, ଗତ ଜୁନ୍‍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏକ ହଜାର ୯୪ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୧ ହଜାର ୧୩୦ ଦଶମିକ ୭ ମିଲିମିଟର ରହିଛି । ଏହାରି ମଧ୍ୟରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେ‌େ‌ପ୍ଟମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।

Get real time updates directly on you device, subscribe now.