fbpx

ପରାଜୟର ୩ ମାସ ପରେ ବି ଶୁଖୁନି ଘାଆ, ବେଳ ଅବେଳରେ ଉଖୁରଉଛନ୍ତି ନେତା

ଓଡିଶା ଭାସ୍କର: ନିର୍ବାଚନକୁ ବିତିଲାଣି ୩ ମାସ, ହେଲେ ବିଜେଡି ନେତାଙ୍କ ଭିତରେ ଥିବା ପରାଜୟ ଗ୍ଲାନି ହେଉନି ପ୍ରଶମିତ । ପରାଜୟର ଯେଉଁ କାରଣକୁ ନେଇ ଦଲ ମୁଖିଆ ସମୀକ୍ଷା କରିବାକୁ ଚାହୁଁ ନାହାନ୍ତି, ଦଳର ବରିଷ୍ଠମାନେ ସେହି କଥା ଉଜାଗର କରୁଛନ୍ତି । ଯାହା ଏବେ ମଧ୍ୟ ଦଳରେ ଥିବା ଅସନ୍ତୋଷର ବହ୍ନି ପ୍ରଜ୍ଜଳିତ ହେଉଥିବା କଥାକୁ ଦର୍ଶାଉଛି ।

ନବରଙ୍ଗପୁର ନେତାଙ୍କୁ ନେଇ ନବୀନ ଆଲୋଚନା କରିବା ବେଳେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳର ଏ ଦୟନୀୟ ଅବସ୍ଥା ପାଇଁ ୩ଟି କାରଣ ଦର୍ଶାଇଛନ୍ତି । ଏଥିରେ ନିର୍ବାଚନ ଦାୟିତ୍ୱରେ ଥିବା ନେତୃତ୍ୱଙ୍କ କାର୍ଯ୍ୟପ୍ରଣାଳୀ, ଦଳ ଭିତରର କନ୍ଦଳ ଓ ମେଣ୍ଟ ଚର୍ଚ୍ଚାକୁ ଦାୟୀ କରିଛନ୍ତି ପ୍ରଦୀପ । ପ୍ରଦୀପଙ୍କ ଏହି ବୟାନ ପରେ ପରେ ଆଜି ଘସିପୁରା ବିଧାୟକ ତଥା ଦଳର ବରିଷ୍ଠ ନେତା ବଦ୍ରୀ ପାତ୍ର ମଧ୍ୟ ମୁହଁ ଖୋଲିଛନ୍ତି । ସେ ସିଧା ସଳଖ ପାଣ୍ଡିଆନଙ୍କ ନାଁ ନ ନେଇଥିଲେ ମଧ୍ୟ ନବୀନ ସବୁ ଯାଗାକୁ ନ ଯିବା ଓ ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ପ୍ରଚାର କରାଇବାକୁ ଦାୟି କରିଛନ୍ତି ।

ତେବେ ଖାଲି ଏହି ଦୁଇ ନେତା ନୁହଁନ୍ତି, ପୂର୍ବରୁ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର, ବଡଚଣା ପୂର୍ବତନ ବିଧାୟକ ଅମର ଶତପଥୀ ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ, ଦଳର ପରାଜୟ ପାଇଁ ସିଧା ବା ବୁଲେଇ ବାଙ୍କେଇ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଦାୟୀ କରିସାରିଛନ୍ତି । ନବୀନଙ୍କ ବଦଳରେ ପାଣ୍ଡିଆନ ସବୁ ସ୍ଥାନକୁ ଯାଇ ପ୍ରଚାର କରିଥିବାରୁ ଓ ସେଠାର ପ୍ରାର୍ଥୀଙ୍କୁ ନିଜ ଗସ୍ତରେ ସାମିଲ କରିନଥିବାକୁ ଲୋକେ ଗ୍ରହଣ କରି ପାରିନଥିବା କହିଛନ୍ତି ବଦ୍ରୀ । ହେଲେ ନେତାଏ ଯେତେ ଛାତି ପିଟି ଚିକ୍ରାର କରନ୍ତୁନା କାହିଁକି, ନବୀନ ନିରବ ।

ତେବେ ବିଜେଡି ୨୪ ବର୍ଷ ଶାସନରେ ରହିଥିଲା । ଏହି ସମୟ ମଧ୍ୟରେ ଯେତେବେଳେ ବି କୌଣସି ନିର୍ବାଚନରେ ଦଳର ପ୍ରଦର୍ଶନରେ ସାମାନ୍ୟ କମି ଦେଖିବାକୁ ମିଳୁଥିଲା, ସେତେବେଳେ ସୁପ୍ରିମୋ ତାର ମାରାଥନ ସମୀକ୍ଷା କରୁଥିଲେ । ବରିଷ୍ଠଙ୍କୁ ତାର ଭରପାଇ କରିବାକୁ ଦେଉଥିଲେ ଗୁରୁମନ୍ତ୍ର । ହେଲେ ଚଳିତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମଧ୍ୟ କାରଣ ଖୋଜିବାକୁ ଚାହିଁ ନାହାନ୍ତି ନବୀନ । ଖାଲି ସେତିକି ନୁହେଁ, କିଛି ବରିଷ୍ଠ ଦଳର ବିପର୍ଯ୍ୟୟର ସମୀକ୍ଷା ପାଇଁ ଅଡି ବସିଥିଲେ, ନବୀନ ସେମାନଙ୍କ କଥାକୁ ଏକାନରେ ପୂରେଇ ସେକାନରେ ବାହାର କରିଦେଇଛନ୍ତି । କାରଣ ସେ ଜାଣନ୍ତି ପରାଜୟ ପଛର କାରଣ । ନିଜର କୌଣସି ଦୋଷ ଦୁର୍ବଳତା ପାଇଁ ହେଉ ବା ଏକ ନିଆରା ସମ୍ପର୍କର ଜାଲରେ ଛନ୍ଦି ହୋଇଥିବା ନବୀନ ପାଣ୍ଡିଆନଙ୍କୁ ଦେଇ ଆସୁଛନ୍ତି ସୁରକ୍ଷା । ପାଣ୍ଡିଆନଙ୍କ ବିରୋଧରେ ସେ କିଛି କହିପାରି ନାହାନ୍ତି କି ଅନ୍ୟ କେହି କହୁ ସେ ଚାହାନ୍ତି ନାହିଁ ।ତେଣୁ ଯେତେବେଳେ ବି ପାଣ୍ଡିଆନଙ୍କ ଉପରକୁ ସାମାନ୍ୟତମ ଆଞ୍ଚ ଆସିଛି, ସେତେବେଳେ ନିରବତାକୁ ଗଣ୍ଠିଧନ କରିଥିବା ନବୀନ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ।

ହେଲେ ନବୀନଙ୍କ ଏହି ମୋହ ହୁଏତ ଆଗାମୀ ଦିନରେ ଦଳକୁ ଏକ ବିରାଟ ସଙ୍କଟର ସମ୍ମୁଖୀନ କରିବ । ହୁଏତ ନବୀନଙ୍କ ଏହି ପ୍ରେମ ପାଇଁ ବହୁ ବରିଷ୍ଠ ବାଟକାଟି ଚାଲିଯିବେ ବୋଲି ବହୁ ବରିଷ୍ଠ ସାମ୍ବାଦିକ କହିସାରିଲେଣି । ଏବେ ଦେଖିବାକୁ ରହିଲା, ସାମ୍ବାଦିକଙ୍କ ଭବିଷ୍ୟବାଣୀ ସତ ହେବ ନା, ସମୟର ମଲମ ନେବାଙ୍କ କ୍ଷତକୁ ଶୁଖେଇ ଦେବ?

 

Get real time updates directly on you device, subscribe now.