fbpx

ସିଏମ ସାର ମୁଁ ସଙ୍ଗୀତା କହୁଛି… ମହିଳାଙ୍କ ଫୋନରେ ଯୋଗୀଙ୍କ ଆକ୍ସନ, ୨୪ ଘଣ୍ଟାରେ ମିଳିଲା ଚାକିରି

ଲକ୍ଷ୍ନୌ : ହ୍ୟାଲୋ…ମୁଁ ସଙ୍ଗୀତ ସୋଲାଙ୍କି ବୁଲନ୍ଦସହରରୁ କହୁଛି। ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଦୟା କରି ମୋର ସମସ୍ୟାର ସମାଧାନ କରନ୍ତୁ। ମୋତେ କାର୍ଯ୍ୟଭାର ଦେବାର କଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଏହି ଅଭିଯୋଗ ପହଞ୍ଚିବାରୁ ସମସ୍ୟାର ସମାଧାନ ହେବା ସହିତ କଲେଜ ପ୍ରିନ୍ସିପାଲ ଏବଂ ପ୍ରବନ୍ଧକଙ୍କ ବିରୋଧରେ ମେରଠର ଲାଲକୁର୍ତ୍ତି ଥାନାରେ ମୋକଦ୍ଦମା ରୁଜୁ ହୋଇଛି।

ରବିବାର ସକାଳେ ସମସ୍ୟାର ସମାଧାନ ପାଇଁ ବୁଲନ୍ଦସହର ନିବାସୀ ସଙ୍ଗୀତା ସୋଲାଙ୍କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲେ। ସଙ୍ଗୀତାଙ୍କ ସମସ୍ୟା ପଚାରି ବୁଝି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତତ୍କାଳ ମେରଠର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମାମଲାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସୋମବାର ସଙ୍ଗୀତାଙ୍କ ପାଇଁ ସ୍ମରଣୀୟ ହୋଇ ଯାଇଛି। ମାତ୍ର ଗୋଟିଏ ଫୋନ କଲ୍ରେ ତାଙ୍କ ସମସ୍ୟାର ସମାଧାନ ହେବା ସହ କାର୍ଯ୍ୟରେ ଯୋଗ ଦେବାକୁ ଦିଆଗଲା। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦିନ ସାରା ପୋଲିସ, ପ୍ରଶାସନ ତଦନ୍ତରେ ଜୁଟି ଯାଇଥିଲେ। ସୋମବାର କଲେଜ୍ ପ୍ରବନ୍ଧକଙ୍କୁ ହେପାଜତରେ ନେବା ପରେ ଅଫିସର ଶିକ୍ଷୟତ୍ରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଇଛନ୍ତି। ଏହା ପରେ ବିଳମ୍ବିତ ରାତିରେ ଏସଏସପିଙ୍କ ଆଦେଶ କ୍ରମେ ଲାଲକୁର୍ତ୍ତି ଥାନାରେ ଇଣ୍ଟର କଲେଜର ପ୍ରିନ୍ସିପାଲ ଏବଂ ପ୍ରବନ୍ଧକଙ୍କ ବିରୋଧରେ ଆଇପିସିର ଧାରା-୩୮୪ ଆଧାରରେ ମୋକଦ୍ଦମା ରୁଜୁ କରାଯାଇଛି।

କଣ ଏହି ମାମଲା
ସଙ୍ଗୀତା ସୋଲାଙ୍କି ମାଧ୍ୟମିକ ଶିକ୍ଷା ସେବା ଚୟନ ଆୟୋଗ ପ୍ରୟାଗରାଜ ଦ୍ଵାରା ୨୦୨୧ରେ ଆୟୋଜିତ ଲିଖିତ ଏବଂ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ତାଙ୍କୁ ମେରଠର ଭାଗିରଥୀ ଆର୍ଯ୍ୟ କନ୍ୟା ଇଣ୍ଟର କଲେଜରେ ଦାୟିତ୍ଵ ଦିଆଯାଇଥିଲା। ହେଲେ ନିଯୁକ୍ତି ପତ୍ର ମିଳିବା ପରେ ମଧ୍ୟ ତାଙ୍କୁ କାର୍ଯ୍ୟଭାର ଗ୍ରହଣ କରିବାକୁ ଦିଆଯାଉ ନଥିଲା। ନିଯୁକ୍ତ ପାଇଁ କିରାଣୀ ଏବଂ ପ୍ରବନ୍ଧକଙ୍କ ପକ୍ଷରୁ ତାଙ୍କୁ ଲାଞ୍ଚ ମଗାଯାଉଥିଲା। ସଙ୍ଗୀତାଙ୍କ ସମସ୍ୟାର ସମାଧାନ କରି ମୁଖ୍ୟମନ୍ତ୍ରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ତତ୍କାଳ କାର୍ଯ୍ୟଭାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.