Womens’ Juinor Asia Cup-2024; ଏସିଆ ବିଜୟୀ ହେଲା ‘Youngistaan’: ଚୀନକୁ ଚକମା ଦେଇ ଟାଇଟଲ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ହକି ଖେଳରେ ଆଉ ଏକ ପାଦ ଆଗକୁ ବଢାଇଛି ଟିମ ଇଣ୍ଡିଆ । ଏସିଆ କପ୍-୨୦୨୪ ଉପରେ କବଜା କରିଛନ୍ତି ଭାରତୀୟ ଜୁନିୟର ମହିଳା ଟିମ୍ । ଫାଇନାଲ ମ୍ୟାଚରେ ଚୀନକୁ ଚକମା ଦେଇ ଲଗାତାର ଦ୍ୱିତୀୟ ଥର ଏସିଆ କପ୍ ଟାଇଟଲ ହାସଲ କରିଛି । ଶୁଟ ଆଉଟ ଟିମ ଇଣ୍ଡିଆ ଏହି ମ୍ୟାଚ ଉପରେ କବଜା କରିଛି । ଏହି ରୋମାଞ୍ଚକ ଏସିଆ ବିଜୟରେ ଟିମ ଇଣ୍ଡିଆର ସାକ୍ଷୀ ରାଣା, ମୁମତାଜ ଖାନ ଏବଂ ଇଶିକା ଦଳ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାବ୍ୟତୀତ ଗୋଲ୍ କିପର ନିଧି ମଧ୍ୟ ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହି ବିଜୟ ସହ ହକି ଜଗତରେ ଜୁନିୟର ମହିଳା ଖେଳାଳି ଏକ ନୂଆ ଅଧ୍ୟାୟ ଲେଖିଛନ୍ତି ।

ଫାଇନାଲ ଟକ୍କରରେ ଦମଦାର ଆରମ୍ଭ କରିଥିଲା ଚୀନ । କିନ୍ତୁ ପରେ ମାରତୀୟ ଜୁନିୟର ମହିଳା ଚୀନ ଉପରେ ଭାରୀ ପଡ଼ିଛନ୍ତି । ୩୦ତମ ମିନିଟରେ ଚୀନର ଜିଙ୍ଗଜୁଙ୍ଗ ପ୍ରଥମ ଗୋଲ୍ ଦେଇ ମ୍ୟାଚରେ ଅଗ୍ରଣୀ ହାସଲ କରିଥିଲେ । ପ୍ରଥମ ହାଫ୍ ରେ ପଛରେ ରହିଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଥିଲା । ଟିମ ଇଣ୍ଡିଆ ପକ୍ଷରୁ କନିକା ଚୀନ ସହ ବରାବର କରିଥିଲେ । ଜିଙ୍ଗଜୁଙ୍ଗ ଏବଂ କନିକାଙ୍କ ଗୋଲ୍ ବଳରେ ଟାଇମ ଆଉଟ ବରାବର ସ୍କୋରରେ ହୋଇଥିଲା । କିନ୍ତୁ ଏହାପରେ ପେନାଲ୍ଟି ଶୁଟ୍ ଆଉଟ୍ ରେ ବାଜି ମାରିଛି ଟିମ ଇଣ୍ଡିଆ ।

ପ୍ରଥମେ ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ସାକ୍ଷୀ ରାଣା ପେନାଲ୍ଟି ଶୁଟ ଆଉଟରେ ଗୋଲ୍ କରି ଦଳକୁ ଆଉ ଏକ ପଏଣ୍ଟ ଭେଟି ଦେଇଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ମୁମତାଜ ଗୋଲ୍ କରିବାରେ ଫେଲ ହୋଇଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ଇଶିକା ଚୀନକୁ ଆଉ ଏକ ଝଟକା ଦେଇ ଭାରତର ସ୍କୋର ୨ ପଏଣ୍ଟରେ ପହଞ୍ଚାଇ ଦେଇଥିଲେ । ଏହାପରେ କନିକା ଗୋଲ୍ ପାଇଁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳତା ମିଳିନାହିଁ । ଶେଷରେ ସୁନେଲିତା ଆଉ ଏକ ଗୋଲ୍ ହାସଲ କରିଥିଲେ । ଏହାର ଜବାବରେ ଚୀନ କେବଳ ୨ଟି ଗୋଲ୍ କରିବାରେ ସଫଳ ହୋଇଛି । ଅନ୍ୟ ପକ୍ଷରେ ଗୋଲ୍ କିପର ନିଧି ପେନାଲ୍ଟି ଶୁଟ୍ ଆଉଟରେ କମାଲ କରିଛନ୍ତି । ଚୀନର ୩ଟି ଯାକ ପ୍ରୟାସକୁ ଫେଲ କରାଇ ଭାରତର ବିଜୟ ପକ୍କା କରିଛନ୍ତି ନିଧି ।