fbpx

ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ । Medallion For Excellence ପାଇଥିବା ଗେଡେଲା ଅଖିଲଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ବିଶ୍ୱର ଦୃଷ୍ଟିକୁ ଆସିପାରିଛି। ଆଗାମୀ ଦିନରେ ଓଡିଶାରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଳନରେ ପରିଣତ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ ଓ ୨୦୪୭ କୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମର କାର୍ୟ୍ୟକ୍ରମ ପ୍ରସ୍ତୁତ ହେଉଛି। ଆମର ଏହି ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଏହି ଦକ୍ଷ ଯୁବ ଶକ୍ତି। ଯୁବ ଶକ୍ତିର ଦକ୍ଷତା ଆମର ଶକ୍ତି ଓ ଗୌରବ। ଆମର ଦକ୍ଷତା ବିକାଶ କାର୍ୟ୍ୟକ୍ରମକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ଦକ୍ଷତାର ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିବ।

ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ ଯେ, ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ଆମେ ରୋଡ ମ୍ୟାପ ପ୍ରସ୍ତୁତ କରିଛୁ। ଆମେ କେବଳ ସ୍ବପ୍ନ ଦେଖେଇବାରେ ବିଶ୍ୱାସ ରଖୁନା, ବରଂ ବାସ୍ତବତାର ରୂପାୟନ କରିଥାଉ। ଏ ବର୍ଷ ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ପାଇଁ ୧୦୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ପିଲାଙ୍କ ଦକ୍ଷତାର ବିକାଶ କରିବା। ଏବେ ନିକଟରେ ୪୫ ହଜାର କୋଟି ଟଙ୍କାର ୨୬ ଟି ଶିଳ୍ପ ସ୍ଥାପନ ପାଇଁ ମଞ୍ଜୁରି ଦେଇଛୁ। ସେଥିରେ ୩୬ ହଜାର ନିଯୁକ୍ତି ସୃଷ୍ଟି ହେବ। ତେଣୁ, ପିଲାଙ୍କୁ ଏହି ସବୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଉପଯୁକ୍ତ ଦକ୍ଷତା ଦରକାର । ସେଥିପାଇଁ ପିଲା ମାନଙ୍କୁ ଇଣ୍ଡଷ୍ଟ୍ରି ରେଡ଼ି କରିବା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଏହା ସହିତ ଦକ୍ଷତା ବିକାଶ କାର୍ୟ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ସ୍ତରରେ ‘ ନୂଆ ଓଡ଼ିଶା ଜିଲ୍ଲା ଦକ୍ଷତା କେନ୍ଦ୍ର ‘ ଖୋଲା ଯାଉଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଦକ୍ଷତା ଅର୍ଜନ କରିବା ସହିତ ସ୍ଥାନୀୟ ଶିଳ୍ପର ଚାହିଦା ମଧ୍ୟ ପୂରଣ କରି ପାରିବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଫ୍ରାନ୍ସର ଲିଅନ୍‌ଠାରେ ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୱାର୍ଲ୍ଡ ସ୍କିଲ କମ୍ପିଟେସନରେ ଦେଶର ୬୦ ଜଣ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଓଡ଼ିଶାରୁ ୧୫ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଦେବଗଡ ଜିଲ୍ଲାର ଅମରେଶ ସାହୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଗଜପତି ଜିଲ୍ଲାର ଗେଡେଲା ଅଖିଲ ୱାଟର ଟେକ୍‌ନୋଲୋଜିରେ Medallion For Excellence ପାଇଛନ୍ତି।

କାର୍ୟ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ କହିଥିଲେ ଯେ ଦେଶର ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ପ୍ରତିଯୋଗୀ ଓଡିଶାରୁ ହିଁ ଥିଲେ। ଓଡିଶାର ପିଲାମାନଙ୍କର ଦକ୍ଷତା ରହିଛି। ଏହାକୁ ତୃଣମୂଳ ସ୍ତରକୁ ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଉଦ୍ୟମ ଆରମ୍ଭ କରାଯାଇଛି।

କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ. ରାଜପୁତ ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Get real time updates directly on you device, subscribe now.