ODISHATOP STORIES

ମହାକାଳପଡ଼ା ଠାରେ ବସୁଧା ଜଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିକାଶ ହିଁ ରାଜ୍ୟ ସରକାର ଙ୍କ ଏକମାତ୍ର ଏଜେଣ୍ଡା: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା/ମହାକାଳପଡା/ପାଟକୁରା, ୮ ।୧୨ (ଆପ୍ର): ମହାକାଳପଡାରେ ହେବ ନଦୀଭିତ୍ତିକ ବନ୍ଦର । ଶନିବାର ମହାକାଳପଡାର ପେଟଛେଲା ପଞ୍ଚାୟତ ସରୁମୁହିଁ ଠାରେ ୨୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ରାଜ୍ୟର ବିକାଶ ମୋର ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ମୋ ସରକାର ୧୮ ବର୍ଷ ଧରି କାମ କରି ଆସୁଛି । ଗାଁଠାରୁ ସହର ପର୍ଯ୍ୟନ୍ତ ବିକାଶକୁ ଆହୁରି ଆଗକୁ ନେବାକୁ ପଡିବ । ଜଳକ୍ଲିଷ୍ଟ ଭୋଗ କରୁଥିବା ମହାକାଳପଡାବାସୀଙ୍କ ପାଇଁ ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଥିଲେ । ସଭାରେ ଉପସ୍ଥିତ ଥିବା ପ୍ରାୟ ୫୦ ହଜାରରୁ ଉଦ୍ଧ୍ୱର୍ ସମବେତ ଜନତାଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ଅଭିଭାଷଣ ଆରମ୍ଭ କରି କହିଥିଲେ ମହାକାଳପଡାରେ ଏକ ନଦୀଭିତ୍ତିକ ବନ୍ଦର ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଏହି ଅଞ୍ଚଳର ବେକାର ଯୁବକମାନେ ନିଯୁକ୍ତି ପାଇପାରିବେ । ସେ କହିଥିଲେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଇଁ ବହୁବିଧ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଲୋକମାନେ ଏହି ଯୋଜନାରୁ କିପରି ଫାଇଦା ପାଇବେ ସେ ନେଇ ସରକାର ମଧ୍ୟ ନଜର ରଖିଛନ୍ତି । ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବକ୍ତବ୍ୟ ରଖି ପଞ୍ଚାୟତିରାଜ ଓ ପାନୀଳଜଳ ଯୋଗାଣମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ବିଜୁ ବାବୁଙ୍କ ପରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ବ୍ୟକ୍ତି ଯିଏ ମହିଳାମାନଙ୍କ ବିକାଶ ଏବଂ ସେମାନଙ୍କୁ ମର୍ଯ୍ୟାଦା ଦେବାପାଇଁ ଚିନ୍ତା କରୁଛନ୍ତି । ପ୍ରତ୍ୟେକ ମହିଳାଙ୍କ ନିକଟରେ ଯେପରି ପିଇବାପାଣି ପହଞ୍ଚିବ ଏବଂ କୌଣସି ମହିଳା ଯେପରି ଗରାମାଠିଆ ଧରି ବାହାରକୁ ଯିବେ ନାହିଁ ସେ ନେଇ ବସୁଧା ଯୋଜନା ଆରମ୍ଭ କରିଛନ୍ତି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଏଥିନେଇ ୬୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଚଳିତବର୍ଷ ୧ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି । ସ୍ଥାନୀୟ ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ଅନୁରୋଧ କରିଥିଲେ । ଏହି ସମାବେଶରେ ସାଂସଦ ପ୍ରତାପ କେଶରୀ ଦେବ, ବିଧାୟକ ବେଦପ୍ରକାଶ ଅଗ୍ରୱାଲା, ବିଧାୟକ କିଶୋର ଚନ୍ଦ୍ର ତରାଇ ବକ୍ତବ୍ୟ ପ୍ରଦାନ କରି ସମଗ୍ର ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକଙ୍କ ଛଡା ଆଉ କାହାର ସ୍ଥାନ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ କହିଥିଳେ ଯେ, ଏହି ପ୍ରକଳ୍ପ ଯୋଗୁଁ ମହାକାଳପଡା ବ୍ଲକ୍ର ୧୪୮ଟି ଗ୍ରାମ ଓ ମାର୍ଶାଘାଇ ବ୍ଲକ୍ର ୫୨ଟି ଗ୍ରାମର ଦୁଇଲକ୍ଷ ୩୪ ହଜାର ଲୋକଙ୍କ ଦୀର୍ଘବର୍ଷର ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ ସ୍ୱାଗତ ଭାଷଣ ଦେଇଥିଲେ ଓ କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଯୁଗ୍ମ ସଚିବ ରୁପା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close