fbpx

ନବୀନ ନିବାସରେ ଆରମ୍ଭ ହେଲା ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫/୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ ଆନୁଷ୍ଠାନିକ ଭାବେ ଏହା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ବିଭିନ୍ନ ରୂପରେଖ ନେଇ ନବୀନ ନିବାସରେ ଆଲୋଚନା ହୋଇଥିଲା । ଏଥିରେ ଜୀବନ ବିନ୍ଦୁ, ପଲିଥିନ ମୁକ୍ତ ସହର ଉପରେ ଗୁରୁତ୍ଵ ଦେବା ସହ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦିଆଯିବ ବୋଲି କୁହାଯାଇଛି । ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସମାଜ ସେବାରେ ନିଜକୁ ନିୟୋଜିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ସମେତ ସାଂସଦ ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ପିନାକୀ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ଅନନ୍ତ ନାରାୟଣ ଜେନା, ସଞ୍ଜିବ ମଲ୍ଲିକ, ମନୋହର ରନ୍ଧାରୀଙ୍କ ସମେତ ନଳିନୀକାନ୍ତ ପ୍ରଧାନ, ସୁଚିତ ଦାସ ଓ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଲୋକଙ୍କୁ ଏଥିରେ ସାମିଲ କରାଯିବ ।

ତେବେ ଓଡିଶାବାସୀଙ୍କ ସମେତ ଓଡିଶା ବାହାରେ ରହୁଥିବା ଓଡିଆ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ଓଡିଶା ମୋ ପରିବାର ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଜୀବନ ବିନ୍ଦୁ ଓ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ କମିଟି କାର୍ଯ୍ୟ କରିବ । ପରିବେଶ କ୍ଷେତ୍ରରେ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡିଶା, ଜଳାଶୟ ଗୁଡିକର ପୁନରୁଦ୍ଧାର ପରିବେଶ କମିଟିର ଦାୟିତ୍ୱ ରହିବ । ବିପନ୍ନ ଓଡିଆମାନଙ୍କୁ ସାହାଯ୍ୟ କରିବା ଓ ପ୍ରବାସୀ ଓଡିଆଙ୍କ ସହିତ ଓଡିଶାର ଅଧିକ ସମ୍ପର୍କ ଗଢିବା ଏହି ସବ-କମିଟିର ଦାୟିତ୍ୱ ରହିବ ।

Get real time updates directly on you device, subscribe now.