fbpx

୩ଟି ଦୁର୍ଭାଗ୍ୟଜନକ ସଂଯୋଗ! ୩ଟି କ୍ରୀଡ଼ାରେ ଭାରତ ପାଇଁ ଅଶୁଭ ସାଜିଲା ‘୧’ ଅଙ୍କ, ଜିତିବା ମ୍ୟାଚରେ ମିଳିଲା ପରାଜୟ

ନୂଆଦିଲ୍ଲୀ: ଅଗଷ୍ଟ ୭ ତାରିଖ ‘ବୁଧବାର’ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଅଶୁଭ ଦିବସ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ୨ଟି ବଡ଼ ଝଟକା ପାଇବା ସହ କ୍ରିକେଟରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ତିନୋଟି ଯାକ କ୍ରୀଡ଼ାରେ ଭାରତ ପାଇଁ ‘୧’ ଅଙ୍କ ଅଶୁଭ ସାଜିଥିଲା । ଏହି ଅଙ୍କ ପାଇଁ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୨ଟି ପଦକ ଜିତିବାରୁ ବଞ୍ଚିତ ହେବା ସହ କ୍ରିକେଟରେ ମଧ୍ୟ ସିରିଜ ବରାବର କରିବାକୁ ଅସମର୍ଥ ହୋଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ‘୧୧୧୧’, ଏହି ଚାରିଟି ଅଙ୍କ ଭାରତର କ୍ରୀଡ଼ାର ବିଜୟ ପଥରେ ମୁଖ୍ୟ ପ୍ରତିବନ୍ଧକ ଭାବେ ଛିଡ଼ା ହୋଇଥିଲା ।

୧- ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗଟ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବା କାରଣରୁ ପାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ୪ ଥରର ବିଶ୍ୱ ଚାମ୍ପିୟନଙ୍କୁ ହରାଇବା ପରେ ଏଥର ବିନେଶ ନିଶ୍ଚିତ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଥିଲା । ମାତ୍ର ଗୋଟିଏ ଭୁଲ୍ ଆଜି ତାଙ୍କର କ୍ୟାରିୟରକୁ ବ୍ୟାକଫୁଟକୁ ଠେଲି ଦେଇଛି । ବିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ୧୪୦ କୋଟି ଭାରତୀୟ ସ୍ତବ୍ଧ ହୋଇଯିବା ସହ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଅନେକ ପୂର୍ବତନ କ୍ରୀଡ଼ାବିତ୍ ଅଭିଯୋଗ ଆଣିଥିଲେ ।

୨- ସେହିପରି ୪୯ କେଜି ବର୍ଗରେ ଚତୁର୍ଥ ସ୍ଥାନରେ ରହି ଭାରତୀୟ ଷ୍ଟାର ଭାରୋତ୍ତଳନକାରୀ ମୀରାବାଈ ଚାନୁ ପଦକୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ପ୍ରଥମ ସ୍ଥାନରେ ରହିଥିବା ଚୀନ କ୍ରୀଡ଼ାବିତ ମୋଟ ୨୦୬ କେଜି ଇଠାଇଥିବା ବେଳେ, ଦ୍ୱିତୀୟ ସ୍ଥାନରେ ଥିବା ରୋମାନିଆ କ୍ରୀଡ଼ାବିତ ୨୦୫ କେଜି ଓ ତୃତୀୟ ସ୍ଥାନରେ ଥିବା ଥାଇଲାଣ୍ଡ କ୍ରୀଡ଼ାବିତ ୨୦୦ କେଜି ଉଠାଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ମୋଟ ୧୯୯ କେଜି ଓଜନର ଭାର ଉଠାଇଥିବା ଚାନୁ ମାତ୍ର ୧ କେଜି ପାଇଁ ପଦକୁ ବଞ୍ଚିତ ହୋଇଥିଲେ ।

୩- କ୍ରିକେଟରେ ଭାରତ ଘରୋଇ ଶ୍ରୀଲଙ୍କା ନିକଟରୁ ଦୀର୍ଘ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜରେ ପରାସ୍ତ ହୋଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର ୧୩୮ ରନରେ ଅଲଆଉଟ୍ ହେବା ସହ ୧୧୦ ରନରେ ପରାସ୍ତ ହୋଇଥିଲା । ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ବିନେଶ କ୍ଷେତ୍ରରେ ୧୦୦ ଗ୍ରାମ, ମୀରାବାଈଙ୍କ କ୍ଷେତ୍ରରେ ୧ କେଜି ଓ ଭାରତୀୟ କ୍ରିକେଟ ଟିମ୍ କ୍ଷେତ୍ରରେ ୧୧୦ ରନ୍ ପ୍ରତିବନ୍ଧକ ସାଜିଥିଲା । ପ୍ରତି ଇଭେଣ୍ଟରେ ୧ ଅଙ୍କ ରହିଥିଲା । ମୋଟ ୪ଟି ‘୧’ ଭାରତର ବିଜୟ ପଥକୁ ରୋକିଥିଲା ।

Get real time updates directly on you device, subscribe now.