ମାଗଣା ଚିକିତ୍ସା ଦେଲା ନୂଆ ଜୀବନ: ମହିଳାଙ୍କ ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ସ୍ୱାସ୍ଥ୍ୟ ହେଉଛି ଅମୂଲ୍ୟ ସମ୍ପଦ । ଅଜସ୍ର ଅର୍ଥ ରୋଜଗାର କରୁଥିଲେ ହେଁ ଅନେକ ଲୋକ ଖରାପ ସ୍ୱାସ୍ଥ୍ୟ କାରଣରୁ ସବୁବେଳେ ଦୁଃଖରେ ରହିଥାନ୍ତି । ତେବେ ଅନେକ ସମୟରେ କିଛି ଲୋକଙ୍କର ଶରୀରରୁ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ବଡ଼ ବଡ଼ ଟ୍ୟୁମର ବାହାର କରିଥାନ୍ତି । ଏହି ଟ୍ୟୁମରକୁ ଦେଖିବା ପରେ ପରିଜନ ତଥା ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ନିକଟରେ ରାଜ୍ୟରେ ଦେଖିବାକୁ ମିଳିଛି ଏକ ଅନୁରୂପ ଘଟଣା ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଉଦର ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟା ମହିଳାଙ୍କ ପେଟରୁ ଡାକ୍ତର ଅସ୍ତ୍ରୋପଚାର କରି ୧୦.୭ କେଜିର ଏକ ବଡ଼ ଟ୍ୟୁମର ବାହାର କରିଛନ୍ତି । ଦୁଇବର୍ଷ ତଳେ ମହିଳାଙ୍କର ପେଟରେ ହଠାତ୍ ଯନ୍ତ୍ରଣା ହୋଇଥିଲା । ଏହାପରେ ସେ ଉଦଳା ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ କରି ମେଡିସିନ ଖାଇଥିଲେ । ତେବେ ଏହାର କିଛିଦିନ ପରେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେବେ ମହିଳାଙ୍କ ପେଟରେ ଓଭାରିଆନ୍ ସିଷ୍ଟ ବା ଟ୍ୟୁମର ବଢ଼ୁଥିବା ନିକଟରେ ଅଲଟ୍ରାସାଉଣ୍ଡ କରି ଡାକ୍ତର ଜାଣିପାରିଥିଲେ ।

ତେବେ ମହିଳାଙ୍କୁ ଏହି ଚିକିତ୍ସା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିନାହିଁ । ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା (ବିଏସକେୱାଇ) ମହିଳାଙ୍କ ପାଇଁ ସଞ୍ଜିବନୀ ସାଜିଛି । ସ୍ୱାମୀ ଚାଷ କାର୍ଯ୍ୟ କରୁଥିବା ବେଳେ ମହିଳାଙ୍କ ପରିବାରରେ ୩ ଜଣ ଝିଅ ଅଛନ୍ତି । ପେଟରେ ଟ୍ୟୁମର ରହିଥିବା ଜଣାପଡ଼ିବା ପରେ ଚିକିତ୍ସା କରିବା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିଲା । ମାତ୍ର ବିଏସକେୱାଇ ପାଇଁ ମହିଳା ଜଣଙ୍କ ଏବେ ନୂଆ ଜୀବନ ପାଇଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।