fbpx

ରାଜ୍ୟରେ ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି: ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ପୋଷାକ ଉତ୍ପାଦନ କାରଖାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରାଇବା, ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ବହୁ ପ୍ରତିଷ୍ଠିତ କମ୍ପାନୀ ସହିତ ରାଜ୍ୟ ସରକାର ବୁଝାମଣା ସ୍ୱାକ୍ଷର କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । କିଛି ନାମୀ ପୋଷାକ ରପ୍ତାନୀକାରୀ ସମୂହର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି ।

ସୂଚନା ମୁତାବକ, ଦେଶର ନାମୀଦାମୀ ପୋଷାକ ରପ୍ତାନୀକାରୀ ସମୂହ ନିଜର କାରଖାନା ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନେ ଆଲୋଚନା କରିସାରିଥିବା ବେଳେ ଖୋର୍ଦ୍ଧା ନିକଟରେ ୧୦୦ ଏକର ପରିମିତ ଅଞ୍ଚଳରେ ଏହି ପୋଷାକ କାରଖାନା ସ୍ଥାପନ ହେବ । ଏହି କାରଖାନା ସ୍ଥାପନ ହେବା ଫଳରେ ରାଜ୍ୟରେ ପାଖାପାଖି ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।

ନୋଏଡ଼ାର ୭ଟି ରପ୍ତାନୀକାରୀ ସମୂହର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏହି କମ୍ପାନୀଗୁଡ଼ିକର ଫ୍ୟାକ୍ଟ୍ରି ରହିଛି । ରାଜ୍ୟ ସରକାର ପ୍ରତି କମ୍ପାନୀକୁ ପାଖାପାଖି ୧୦ ଏକର ଲେଖାଏଁ ଜମି ଯୋଗାଇ ଦେବେ । ଏନେଇ ଶିଳ୍ପ ବିଭାଗ ସହ ଆଲୋଚନା ହୋଇଛି । ଏଥିସହିତ ଇଡକୋ ପକ୍ଷରୁ ୪ ଥାକିଆ ରାସ୍ତା, ପାଣି, ବିଜୁଳି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଫାଇନ୍ ଲାଇନ୍ସ, ରେନବୋ ଫାବାର୍ଟର, ସୋନୁ ଏକ୍ସିମ, ଲକ୍ଷିତା, ମିନୁ କ୍ରିଏସନ, ପୂଜା ଇଣ୍ଟରନ୍ୟାସନାଲ, ବିଏଲ ଇଣ୍ଟରନ୍ୟାସନାଲ ଆଦି କମ୍ପାନୀମାନେ ରାଜ୍ୟରେ କାରଖାନା ସ୍ଥାପନ କରିବେ ।

Get real time updates directly on you device, subscribe now.