fbpx

ଗୋଟିଏ ପାନ୍ କାର୍ଡରେ ୧୦୦୦ ଆକାଉଣ୍ଟ: RBI ଟାର୍ଗେଟରେ କେମିତି ଆସିଲା Paytm Payments Bank?

ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଫାଷ୍ଟାଗ ରିଚାର୍ଜ, ୱାଲେଟ ଏବଂ ଏହାର ବ୍ୟାଙ୍କ ଆକାଉଣ୍ଟରେ ଟଭ୍କା ଜମା କରିବା ଉପରେ ମଧ୍ୟ ରୋକ ଲଗାଯାଇଛି । ଫେବୃୟାରୀ ୨୯ ତାରିଖ ପରେ ପେଟିଏମର ବ୍ୟାଙ୍କିଙ୍ଗ ସର୍ଭିସ ଅକାମୀ ହୋଇଯିବ ବୋଲି ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ । ନିୟମର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ରିଜର୍ଭ ବ୍ୟାଙ୍କ । କିନ୍ତୁ ଆରବିଆଇ ରାଡରରେ କେମିତି ଆସିଲା ପେଟିଏମ ପେମେଣ୍ଟସ ବ୍ୟାଙ୍କ ?

ପେଟିଏମ ପେମେଣ୍ଟସ ବ୍ୟାଙ୍କରେ କଟକଣା ଲାଗିବା ପାଇଁ ଉଚିତ ତଥ୍ୟ ବିନା ତିଆରି ହୋଇଥିବା କୋଟି କୋଟି ଆକାଉଣ୍ଟ ମଧ୍ୟ ଏକ ପ୍ରମୁଖ କାରଣ ପାଲଟିଛି । ତେବେ ଆକାଉଣ୍ଟରେ କେୱାଇସି ପ୍ରକ୍ରିୟା ଶେଷ କରିନଥିବା ଜାଣିବାକୁ ମିଳିଛି । ଏହାସହିତ ବିନା ପରିଚୟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ମନି ଲଣ୍ଡ୍ରିଂ ଭଳି କାର୍ଯ୍ୟକଳାପରେ ଲିପ୍ତ ଥିବା ଆଶଙ୍କା ହୋଇଥିଲା । ରିପୋର୍ଟ ଅନୁସାରେ, ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇବାର ଆଉ ଏକ ବଡ଼ କାରଣ ମଧ୍ୟ ରହିଛି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଅଧୀନରେ ଗୋଟିଏ ପାନ୍ କାର୍ଡରେ ୧୦୦୦ରୁ ଅଦିକ ୟୁଜରଙ୍କ ଆକାଉଣ୍ଟ ସାମିଲ ରହିଥିଲା । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଏବଂ ଅଡିଟର୍ସ ଉଭୟଙ୍କ ଦ୍ୱାରା ଯାଞ୍ଚରୁ ଜଣାପଡ଼ିଥିଲା ଯେ, ପେଟିଏମ ବ୍ୟାଙ୍କ ନିୟମ ଗୁଡ଼ିକର ପାଳନ କରୁନାହିଁ । ଏସବୁକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରିଛି ।

ଯଦି ପାଣ୍ଠିକୁ ନେଇ କୌଣସି ହେରଫେର ହେଉଥିବାର ପ୍ରମାଣ ମିଳେ, ତେବେ ଇଡି ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଯାଞ୍ଚ କରିପାରେ ବୋଲି ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି । ଏହାମଧ୍ୟରେ କମ୍ପାନୀ ସ୍ପଷ୍ଟ କରିଛି ଯେ, କମ୍ପାନୀ ଏବଂ ୱନ୯୭ କମ୍ୟୁନିକେସନର ସିଇଓ ବିଜୟ ଶେଖର ଶର୍ମା ମନି ଲଣ୍ଡ୍ରିଂ ପାଇଁ ଇଡିର ଯାଞ୍ଚ ଅଧୀନରେ ନାହାନ୍ତି । ସୂଚନାଯୋଗ୍ୟ ଯେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ପ୍ରାୟ ୩୫ କୋଟି ଇ-ୱାଲେଟ୍ ଅଛି। ଏଥିମଧ୍ୟରୁ ପ୍ରାୟ ୩୧ କୋଟି ସକ୍ରିୟ ନୁହେଁ, ମାତ୍ର ୪ କୋଟି ବହୁତ କମ୍ ପରିମାଣରେ ଚାଲୁଛି ।

Get real time updates directly on you device, subscribe now.