Ratha Yatra: ଏଥର ରଥଯାତ୍ରାରେ ପୁରୀକୁ ଗଡିବ 1000 ବସ୍, ଧାର୍ଯ୍ୟ ଭଡାଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ
ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ଗଡ଼ିବ ହଜାରେ ବସ୍ । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ପୁରୀ ତାଳବଣିଆ ଏବଂ ମାଳତୀପାଟପୁରରେ କରାଯାଇଛି ବସ୍ ପାର୍କିଂର ବ୍ୟବସ୍ଥା ।
ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଏଥର ଦୂର ହେବ ଯାତ୍ରୀଙ୍କ ଅସୁବିଧା । କାରଣ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ରେଗୁଲାର ବସ୍ ସହ ସ୍ବତନ୍ତ୍ର ପରମିଟ୍ ବି ଦିଆଯିବ । ପୁରୀକୁ ସାରା ରାଜ୍ୟରୁ ଗଡ଼ିବ ବସ୍ । ତାଳବଣିଆ ସହ ମାଳତୀ ପାଟପୁରରେ ହେବ ପାର୍କିଂ ବ୍ୟବସ୍ଥା ।
ସେପଟେ ମାଳତୀପାଟପୁରରି ବଡ଼ଦାଣ୍ଡ ଯାଏଁ ଚାଲିବ 100 ଟି ବ୍ୟାଟେରୀ ଗାଡ଼ି । ଏହା ସହ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଭଡ଼ା ନେଇପାରିବେ ନାହିଁ ଗାଡ଼ି ମାଲିକ । ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ତାଳବଣିଆରେ ମିଳିବ 10 ଟଙ୍କାରେ ଖାଦ୍ୟ
ବୈଠକରେ ବିଶେଷକରି ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ, ସେ ନେଇ ଆଲୋଚନା କରାଯାଇଥିଲା । ଏହାସହ ତାଳବଣିଆ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ଦିଆଯିବ 10 ଟଙ୍କାରେ ଶୁଦ୍ଧ ନିରାମିଷ ଖାଦ୍ୟ । ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ 30ଜଣ STA ଅଧିକାରୀ ଦାୟିତ୍ବରେ ରହିବେ । ବେପରୁଆ ଗାଡି ଚାଳନା ଉପରେ କଡା ନଜର ରଖାଯିବ ।
ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି STA କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି । ଏହାସହ ଭୁବନେଶ୍ୱର-ପୁରୀ, ପୁରୀ-କୋଣାର୍କ ଏବଂ ପିପିଲି-ପୁରୀ ସମେତ ପ୍ରମୁଖ ରୁଟରେ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯିବ ।
ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ,କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ ,ଏନଏଚଆଇ କର୍ତ୍ତୃପକ୍ଷ ସାମିଲ ହୋଇଥିଲ।